ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ, ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କ’ଣ ରହିବ ଆଧାର . .

ଓଡ଼ିଶା ରାଜନୀତିରେ ରେକର୍ଡ । ଲଗାତାର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆ ସରକାର ସହ ମନ୍ତ୍ରିମଣ୍ଡଳ ବି ଶପଥ ନେବ। ନବୀନଙ୍କ କ୍ୟାବିନେଟ୍‌ରେ କାହାକୁ ମିଳିବ ସ୍ଥାନ ଆରମ୍ଭ ହୋଇଛି ଅଙ୍କକଷା।

କୁହାଯାଉଛି, ଏଥର ଭେଟରାନଙ୍କ ସହ ନୂଆ ଚେହେରାଙ୍କ ଏକ ସମ୍ବନୟ ଦେଖିବାକୁ ମିଳିବ। ଦଳ ପ୍ରତି ଆନୁଗତ୍ୟ ଓ ନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିଥିବା ନେତାଙ୍କୁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରୁ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର ପୁଣିଥରେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିପାରନ୍ତି। ଏହାସହ ଲତିକା ପ୍ରଧାନଙ୍କ ନାଁକୁ ନେଇ ବି ଚର୍ଚ୍ଚା। ରାଉରକେଲାରୁ ବିଜୟ ସହ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ପୂର୍ବତନ ମନ୍ତ୍ରୀ ସାରଦା ନାୟକ। କେନ୍ଦୁଝର ଜିଲ୍ଲାରୁ ବଦ୍ରି ନାରାୟଣ ପାତ୍ର ଓ ଭାଗିରଥୀ ସେଠୀଙ୍କ ନାଁକୁ ନେଇ ଅଙ୍କକଷା ଚାଲିଛି। ଜଣଙ୍କ ଭିତରୁ ମନ୍ତ୍ରୀପଦ ଦେଇପାରନ୍ତି ନବୀନ।

ଅନ୍ୟପଟେ କଂଗ୍ରେସକୁ ବାଏ ବାଏ କହି ଝାରସୁଗୁଡ଼ାରେ ବିଜେଡିର ବିଜୟ ବାନା ଉଡ଼ାଇଥିବା ନବ ଦାସଙ୍କୁ ବି ଟିମ୍‌ ନବୀନରେ ସୁଯୋଗ ମିଳିପାରେ। ତାଙ୍କ ସହ ଭୂପିନ୍ଦର ସିଂହଙ୍କ ନାଁ ବି ରେସରେ ଆସୁଛି। ପଶ୍ଚିମ ଓଡ଼ିଶା କୋଟାରୁ ସୁଶାନ୍ତ ସିଂ ଓ ରୋହିତ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଉପକୂଳରୁ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ବିଧାୟକ ନୂଆ ସରକାରରେ ମନ୍ତ୍ରୀ ପଦ ପାଇପାରନ୍ତି। ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ। ଖୋର୍ଦ୍ଧା ଜିଲ୍ଲାରେ କାହାକୁ ମିଳିବ ମନ୍ତ୍ରୀପଦ ସେନେଇ କସରତ ଚାଲିଲାଣି। ଅଶୋକ ପଣ୍ଡାଙ୍କୁ ପୁଣି ସୁଯୋଗ ମିଳିବ ନା ନୂଆ ମୁହଁ ସ୍ଥାନ ପାଇବେ ତାକୁ ନେଇ ବି ଆଲୋଚନା ହେଉଛି।

ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମା ପରାସ୍ତ ହୋଇଥିବାରୁ ପୁରୀ ଜିଲ୍ଲା କୋଟାରେ କାହାକୁ ମିଳିବ ମନ୍ତ୍ରୀପଦ? ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ନିିମାପଡ଼ା ବିଧାୟକ ସମୀର ଦାଶଙ୍କ ନାଁ ଆଗରେ ରହିଛି। ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ନେତା ମନ୍ତ୍ରୀ ପଦ ପାଇପାରନ୍ତି। ପ୍ରଣବ ପ୍ରକାଶ ଦାସ ପୁଣିଥର ନବୀନଙ୍କ କ୍ୟାବିନେଟକୁ ଫେରିବେ ନା ନୂଆ ଚେହେରା ସୁଯୋଗ ପାଇବେ। ଭଣ୍ଡାରିପୋଖରୀରୁ ପିସିସି ସଭାପତିଙ୍କୁ ହରାଇଥିବା ପ୍ରଫୁଲ୍ଲ ସାମଲ ପୁଣିଥରେ ମନ୍ତ୍ରୀପଦ ପାଇବା ନେଇ ବି ଆଶାବାଦୀ। ବାଚସ୍ପତି ଆସନରେ କିଏ ବସିବ ? ଉଷା ଦେବୀ, ପ୍ରଦୀପ ଅମାତ, କିଶୋର ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.