Below header

କାହିଁକି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ଘରୋଇ ବସ୍‌ ? ଏହିସବୁ କାରଣ ଉପରେ କେବେ ନଜର ପକାଇଛନ୍ତି କି ?

ଦୁର୍ଘଟଣା । କେତେବେଳେ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରି ଦେଉଛି ତ କାହାକୁ କରୁଛି ଅନାଥ । ଦେଖାଯାଉଛି, ସରକାରୀ ବସ୍‌ ତୁଳନାରେ ବେଶୀ ଦୁର୍ଘଟଣାର ଶିକାର ହେଉଛି ଘରୋଇ ବସ୍‌ । ମେଣ୍ଢରାଜପୁର ଘଟଣାରେ ବିଦ୍ୟୁତ ଓ ଗ୍ରାମାଞ୍ଚଳ ବିକାଶ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । କିନ୍ତୁ ୫୦-୬୦ ଯାତ୍ରୀଙ୍କ ସୁରକ୍ଷା ଯେଉଁ ଡ୍ରାଇଭରଙ୍କ କାନ୍ଧରେ, ସେ କେତେ ଯତ୍ନବାନ ତାହା ବି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୨୦୧୬ ମସିହା । ଭୁବନରେ ଘଟିଥିଲା ଛାତି ଥରାଇଲା ଭଳି ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଘରୋଇ ବସ୍‌ । କରେଣ୍ଟ ଲାଗି ଯାଇଥିଲା ୬ ଜୀବନ । ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଏତେ ବଡ଼ ଅଘଟଣ ଘଟିଗଲା । ୨୦୧୬ ସେପ୍ଟେମ୍ବର ମାସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ ମାଣିତ୍ରୀରେ ବ୍ରିଜ ତଳକୁ ଖସି ପଡ଼ିଥିଲା ଘରୋଇ ବସ୍‌ । ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିଲେ ୩୦ରୁ ଅଧିକ । ୨୦୨୦, ଜାନୁଆରୀ ୨୯ ତାରିଖ । ସିନ୍ଦୁରା ଫାଟିବା ଆଗରୁ ଦାରିଙ୍ଗିବାଡ଼ିରୁ ଆସିଥିଲା ଦୁଃଖ ଖବର । ୪୦ ଫୁଟ ଘାଟି ତଳକୁ ଖସି ପଡ଼ିଥିଲା ଘରୋଇ ବସ୍‌ । ମାରୁତି ସାଜିଲା ମୃତ୍ୟୁ ଦୂତ । ୮ ଜଣଙ୍କର ଅକାଳ ବିୟୋଗ ହେଲା । ଆହତ ହୋଇଥିଲେ ୪୦ ଜଣ । ଘନ କୁହୁଡ଼ି ସାଙ୍ଗକୁ ଘାଟି ରାସ୍ତାରେ ଡ୍ରାଇଭରଙ୍କ ଦ୍ରୁତ ଗାଡ଼ି ଚାଳନା କାଳ ହେଲା । ଦିନ କେଇଟା ଯାଇନି, ଦାରିଙ୍ଗିବାଡ଼ି ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା । ୦୬ ଫେବ୍ରୁଆରୀ ୨୦୨୦ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୩ ଯାତ୍ରୀ । ପିକନିକ ସାରି ଫେରିବା ବେଳେ ଘାଟିରୁ ଖସିଥିଲା ବସ୍‌ । ଓହଳି ରହିଲା । ଜୀବନ ବଞ୍ଚାଇ ଦେଲା ଡାଏଲ୍‌ ୧୦୦ ।

ଦୁର୍ଘଟଣା ଅନେକ ପରିବାରର ହସଖୁସି ଛଡ଼ାଇ ନେଉଛି । କେତେବେଳେ ଗୋଟିଏ ଗୋଟିଏ ପରିବାର ଉଚ୍ଛନ୍ନ ହୋଇଯାଉଛି ତ କାହାକୁ ଅନାଥ କରି ଦେଉଛି ମର୍ମନ୍ତୁଦ ଦୁର୍ଘଟଣା । ଏଭଳି ସିରିଜ ଦୁର୍ଘଟଣା ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି କରୁଛି । ଘାଟି ରାସ୍ତାରେ ବି ଚାଲୁଛି ସରକାରୀ ବସ୍‌ । OSRTC ବସ୍‌ ତୁଳନାରେ କାହିଁକି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ଘରୋଇ ବସ୍‌ । କାରଣ କଣ ? ବିଭିନ୍ନ କ୍ଷେତ୍ରରେ ଡ୍ରାଇଭରଙ୍କ ଦାୟିତ୍ୱହୀନତା ହିଁ ଦାୟୀ । ବେପରୁଆ ଗାଡ଼ି ଚାଳନା ଅନ୍ୟ ଏକ କାରଣ । ଏମିତି ବି ଅଭିଯୋଗ ଆସେ, ଘରୋଇ ବସରେ ମଦ ପିଇ ଡ୍ରାଇଭର ଗାଡ଼ି ଚଳାଉଛନ୍ତି । ବ୍ରହ୍ମପୁର ହେଉ କି ଭୁବନ ଘଟଣା । ବିଦ୍ୟୁତ ତାର ଯଦି ଝୁଲି ରହିଛି କିମ୍ବା କମ୍‌ ଉଚ୍ଚତା ଦେଇ ଯାଇଛି, କେମିତି ଜାଣି ପାରୁ ନାହାନ୍ତି ଡ୍ରାଇଭର୍‌ ? ବିପଦ ଅଛି ଜାଣି ସୁଦ୍ଧା କିଭଳି ବସ୍‌କୁ ଆଗକୁ ବଢ଼ାଉଛନ୍ତି ? ଯଦି କେଉଁ ସ୍ଥାନରେ ୧୧ କେଭି ବିଦ୍ୟୁତ ତାର ଝୁଲି ରହୁଛି ପ୍ରଥମେ ଦେଖିବେ ଡ୍ରାଇଭର୍‌ । ରାତି ହେଲେ ଅଲଗା କଥା । କିନ୍ତୁ ବ୍ରହ୍ମପୁର ମେଣ୍ଡରାଜପୁର ଓ ଭୁବନରେ ଦିନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ବସ୍‌ । ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଡ୍ରାଇଭରଙ୍କୁ ହିଁ ଦାୟୀ କରାଯିବ । ତାପରେ ବିଭାଗୀୟ ଅବହେଳାକୁ ଉତ୍ତରଦାୟିତ୍ୱ କରାଯାଇପାରେ । ଯଦିଓ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । କିନ୍ତୁ ୫୦ ଜଣ ଯାତ୍ରୀଙ୍କ ଜୀବନ ଯାହା ହାତରେ, ସେହି ଡ୍ରାଇଭର କଣ ଯେତିକି ଯତ୍ନବାନ ତ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.