Below header

ଏମତି ହେଲା କାହିଁକି ? ରାଜମହଲ ରାଜରାସ୍ତାରେ ପୋଲିସ୍‌-ପବ୍ଲିକ୍‌ ମୁହାଁମୁହିଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଭୁବନେଶ୍ୱର ରାଜମହଲ ଛକରେ ଦେଖିବାକୁ ମିଳିଲା ପୋଲିସ୍‌-ଜନତା ଖଣ୍ଡଯୁଦ୍ଧ । ମୁହାଁମୁହିଁ ପରିସ୍ଥିତି ସାଙ୍ଗକୁ ମାରପିଟ୍‌ ସାଙ୍ଗ । ଶେଷରେ ପୋଲିସ୍‌ର ଲାଠି ଚାଳନା ଓ ଫ୍ଲାଗ୍‌ମାର୍ଚ୍ଚ । ତେବେ ଏପରିସ୍ଥିତି ଉପୁଜିଲା କାହିଁକି ? ଗତ କିଛି ଦିନ ହେଲା ନୂଆ ଟ୍ରାଫିକ୍‌ ନିୟମରେ ନୟାନ୍ତ ହୋଇ ସାରିଛନ୍ତି ଲୋକେ । ତେବେ ଏ ଘଟଣା ଅନ୍ୟ କେଉଁଠି ନୁହେଁ କେବଳ ରାଜଧାନୀ ଭୁବନେଶ୍ୱରରେ ଘଟୁଛି । ଲାଗୁଛି ଯେମିତି ପୋଲିସ୍‌ ଅଧିକାରୀ ଭାବୁଛନ୍ତି ରାଜଧାନୀ ଲୋକଙ୍କ ପାଖରେ ଖୁବ୍‌ ପଇସା ଅଛି । ତେଣୁ ନୂଆ ଟ୍ରାଫିକ୍‌ ନିୟମକୁ ଫିଲ୍ମ ଷ୍ଟାଇଲ୍‌ରେ ଏକାଥରେ ଦୁଇ ଚାରିଗୁଣ ବଢ଼ାଇ ଦେଲେ । ଆଉ ଯେଉଁଠି ନାହିଁ ସେଠି ଆରମ୍ଭ କଲେ ତନାଘନା । ଅବଶ୍ୟ ଆମ ଲୋକମାନେ ଯେ ବିଲକୁଲ୍‌ ସାଧୁ ସେକଥା ନୁହେଁ । ଆଜି ଯଦି ସବୁ କାଗଜପତ୍ର ଠିକ୍‌ଠାକ୍‌ ରଖିଥାନ୍ତେ ତେବେ ପୋଲିସ୍‌କୁ ପାଲଟା ଜବାବ ଦେଇ ହୋଇଥାନ୍ତା । ଅନେକ ଲୋକ ଡ୍ରାଇଭିଂ ଲାଇସେନ୍ସ କରି ନାହାନ୍ତି କିମ୍ବା ଯଦି କରିଛନ୍ତି ରିନ୍ୟୁ କରି ନାହାନ୍ତି । ପ୍ରଦୂଷଣ ନିୟମ କଡ଼ାକଡ଼ି ହୋଇ ନଥିଲା ତେଣୁ ସାଧାରଣ ଲୋକେ ସେ ସାର୍ଟିଫିକେଟ୍‌ଟି ବି କାହିଁକି ରଖିଥିନ୍ତେ ।

RAJMAHAL NEW-3

ଏଭଳି ପରିସ୍ଥିତିରେ ନୂଆ ପୋଲିସ୍‌ ଡିଜି ଓ ଟ୍ରାଫିକ୍‌ ଡିସିପି ଆସିଲେ ଏବଂ ଲାଗୁ ହେଲା ‘ହେଭି ପେନାଲଟି’ ନିୟମ । ତାହା ପୁଣି ରାଜଧାନୀରେ ତୁରନ୍ତ ଲାଗୁ ହେଲା । ଆଇନ୍‌ କାନୁନର ଖେଳରେ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହେଲା । ଲୋକେ ଅକଥନୀୟ ହଇରାଣ ହେଲେ । ତୁରନ୍ତ ଡ୍ରାଇଭଂ ଲାଇସେନ୍ସ କରିବାକୁ ଗଲା ବେଳେ ଅନେକ ସମସ୍ୟା । ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ତ ଲୋକେ ଠକାମିର ଶିକାର ହେଲେ ।
ତେବେ ଏସବୁ ଘଟଣାରେ ଲୋକେ କେବଳ ଦାୟୀ କରିଥିଲେ ପୋଲିସ୍‌କୁ । ଆଉ ଲାଗୁଥିଲା କୌଣସି ଦିନ ଏହି ଘଟଣା ଏକ ବିସ୍ଫୋରକ ପରିସ୍ଥିତିର ରୂପ ନେବ । ଯାହା ନେଇଛି ‘ରାଜମହଲ ରଣକ୍ଷେତ୍ର’ରେ ।

ଯେତେବେଳେ ଯନ୍ତ୍ରଣା ସୀମା ପାର କରେ ସେତେବେଳେ ତାହା ବିଦ୍ରୋହର ରୂପ ନିଏ । ଅବଶ୍ୟ ଆଇନ୍‌ କହୁଛି ସାଧାରଣ ଲୋକେ ଆଇନ୍‌କୁ ହାତକୁ ନେବା ଉଚିତ ନୁହେଁ । ହେଲେ ଯେଉଁଠି ଶହ ଶହ ଲୋକ ଏକାଠି ଥିବେ ଏବଂ ସମସ୍ତଙ୍କ ମନରେ କ୍ଷୋଭ ଓ ଅସନ୍ତୋଷ ଥିବ ତାକୁ ପ୍ରତିରୋଧ କରିବା କାହା ପକ୍ଷରେ ବି ସମ୍ଭବ ନୁହେଁ । ସେହିଭଳି ଆକ୍ରୋଶ ଆଜି ରାଜମହଲ ଛକରେ ଦେଖିବାକୁ ମିଳିଲା ।

DOUBLE HELMET FINEନୂଆ ଟ୍ରାଫିକ୍‌ ନିୟମର ଜ୍ୱାଳାରେ ଜଳି ହେଉଥିବା ଲୋକଙ୍କୁ ଅନ୍ତତଃ ଟିକେ କୋହଳ ନିୟମ ସାନ୍ତ୍ୱନା ଦେଇ ଆସୁଥିବା ବେଳେ ଏହି ଅଘଟଣା ଘଟିଛି । ହେଲେ ପୋଲିସ୍‌ ନିୟମ ନାଁରେ କଣ ମନମାନି କରି ନାହିଁ କି? ଆପଣଙ୍କୁ ଆଜିର ଏକ ଘଟଣାର ଉଦାହରଣ ଦେଉଛୁ । ଚନ୍ଦକା ଥାନାର ମହିଳା ପୋଲିସ୍‌ କର୍ମଚାରୀ ଜଣେ ବ୍ୟକ୍ତିଙ୍କ ପାଖରେ ସବୁ କାଗଜପତ୍ର ଥାଇ ମଧ୍ୟ ଫାଇନ୍‌ କରିଛନ୍ତି ୨ ହଜାର ଟଙ୍କା । କାରଣ ଏଇଆ ଯେ ବାଇକ୍‌ରେ ଯାଉଥିବା ଏହି ବ୍ୟକ୍ତି ଜଣକ ହେଲମେଟ୍‌ ପିନ୍ଧିଲେ ହେଲେ ତାଙ୍କ ପଛରେ ବସିଥିବା ଲୋକ ହେଲମେଟ୍‌ ପିନ୍ଧ ନଥିଲେ । ତେଣୁ ଚାଲାଣ କାଟିଲେ ମାଡାମ୍‌ ।

ସେପଟେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ଅନୁସାରେ, ଆମେ ଏବେ ଚାଳକଙ୍କୁ ହେଲମେଟ୍‌ ପିନ୍ଧାଇବାର ପ୍ରୟାସ କରୁଛୁ । ସେଠି ତାଙ୍କ ପଛ ଲୋକଙ୍କ କଥା ପଛରେ ଚିନ୍ତା କରିବୁ । ନିଜେ ପୋଲିସ୍‌ କମିଶନର୍‌ ୫ଟି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ଅନ୍ୟ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି । ହେଲେ ତାଙ୍କ ଅଧୀନସ୍ଥ କର୍ମଚାରୀ ଯେମିତି ଏସବୁ କଥାକୁ ଗୁରୁତ୍ୱ ଦେବାକୁ ରାଜି ନୁହନ୍ତି ।
କେଉଁଠି କାର୍‌ ଚାଳକଙ୍କୁ ତ ଆଉ କେଉଁଠି ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ ଫାଇନ୍‌ କରାଯାଉଛି । ପୁଣି କେଉଁଠି ଗାଡ଼ି ଦାମ୍‌ ଠାରୁ ଅଧିକ ହେଉଛି ଅର୍ଥ ଦଣ୍ଡ । ଏସବୁ ପ୍ରହସନ ନୁହେଁତ ଆଉ କଣ ? ଏଭଳି କାର୍ଯ୍ୟ କଲେ ପୋଲିସ୍‌ ତ କେବେବି ସାଧାରଣ ଲୋକଙ୍କ ବନ୍ଧୁ ହୋଇ ପାରିବ ନାହିଁ । ଏକଥା ଏକଦମ ସ୍ପଷ୍ଟ ଯେ ଏଇ ନୂଆ ଟ୍ରାଫିକ୍‌ ନିୟମ ଦ୍ୱାରା ସାଧାରଣ ବର୍ଗର ଲୋକେ ଯେତିକି ହଇରାଣ ହେଲେ ସେତିକି ହଇରାଣ ହୋଇ ନାହାନ୍ତି ଉପର ବର୍ଗର ଲୋକେ । ଏବେବି ବେଆଇନ୍‌ ପାର୍କିଂରେ ରହୁଛି ମାଳମାଳ କାର୍‌ । ଆରାମରେ ମଦ ପିଇ କାର୍‌ରେ ଚାଲି ଯାଉଛନ୍ତି ବଡ଼ବଡ଼ିଆ । ସେମାନେ କାହିଁକି ଧରାପଡୁ ନାହାନ୍ତି ?

RAJMAHAL NEW-2

ତେଣୁ ଏସବୁକୁ ଦେଖିଲେ କୁଜି ଅସରପା ଉପରେ କାଣି ବିଲେଇର ଭାଉ ବୋଲି କହି ହେବ । ତେଣୁ ଆପୋଷ ବୁଝାମଣାରେ କାମ ହେଲେ ସମସ୍ତେ ଶାନ୍ତିରେ ରହିବେ । ସମସ୍ୟା ବି ଉପୁଜିବ ନାହିଁ । ଏତେ ବଡ଼ ଓ କଡ଼ା ନିୟମ ଲାଗୁ ହେବା ପୂର୍ବରୁ ଯଥେଷ୍ଟ ସଚେତନତାର ମଧ୍ୟ ଆବଶ୍ୟକତା ଥିଲା । ଯାହା କରାଯାଇ ନାହିଁ । ତେଣୁ ଆଗକୁ ଯେଭଳି ଏଭଳି ମୁହାଁମୁହିଁ ପରିସ୍ଥିତି ନଉପୁଜେ ସେଥିପ୍ରତି ପୋଲିସ୍‌ ସଜାଗ ରହିବା ଦରକାର । ନହେଲେ ସାଧାରଣ ଲୋକ ତାତିଲେ ତାଙ୍କୁ ଅଟକାଇବା ମୁସ୍କିଲ ହୋଇଥାଏ । ସେ ପୋଲିସ୍‌ ହେଉ କି ପ୍ରଶାସନ ସମସ୍ତେ ବାଧ୍ୟ ହେବେ ଏଭଳି ଅସନ୍ତୋଷର ସାମନା କରିବାକୁ । ତେଣୁ ଆମର ଅନୁରୋଧ ଶାନ୍ତିପୂର୍ଣ୍ଣ ଭାବରେ ସବୁ କିଛି ଲାଗୁ ହେଉ । ନିଜ ଘର ପୋଡ଼ି ଗଲା ବେଳେ କିଏ କାହିଁକି ଅନ୍ୟକୁ ଚାହିଁବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.