Below header

ଛତିଶି ବର୍ଷ ପରେ…ପଳାସ ପତ୍ରରେ ପ୍ରସ୍ତୁତ ହେଲା ବାପାଙ୍କ ଶବ, ସ୍ତ୍ରୀ ପୋଛିଲା ମଥାରୁ ସିନ୍ଦୁର ଆଉ ପୁଅ ଦେଲା ମୁଖାଗ୍ନି

ଜଗତସିଂହପୁର (କେନ୍ୟୁଜ) : କୋକେଇରେ ଶବ ଶୋଇଥିଲା, ବନ୍ଧୁ ପରିଜନ ବି ରାମ ନାମ ସତ୍ୟ ହେ କହି କହି ଚାଲିଥାନ୍ତି। ସ୍ତ୍ରୀ ବି ହାତରୁ ଶଙ୍ଖା ମଥାରୁ ସିନ୍ଦୁର ପୋଛି ଦେଲେ। ନାତି ଖଇ କଉଡି ପକାଇ ପକାଇ ଚାଲିଥାଏ ଆଗରେ। ଆଉ ବଡ ପୁଅ ଚାଳିଥାଏ ବେଣିରେ ନିଆଁ ଧରି ଆଗେ ଆଗେ। ସବୁକିଛି ପରମ୍ପରା ଅନୁଯାୟୀ ହେଉଥିଲା କିନ୍ତୁ ସତସତିକା ପରମ୍ପରାରେ ମିଛ ଥିଲା କୋକେଇରେ ଶୋଇଥିବା ଶବ। କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ।

ଏମିତି ଏକ ହିନ୍ଦୁ ଶାସ୍ତ୍ରର ପ୍ରତୀକାତ୍ମକ ଭାବେ ଶବ ସଂସ୍କାର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପାଟେଣୀ ଗାଁରେ। ସୁଚନା ମୁତାବକ ସିଖର ପଞ୍ଚାୟତର ପାଟେଣୀ ଗାଁର ବେଣୁଧର ଜେନା ୩୬ ବର୍ଷ ପୂର୍ବେ କୋଲକାତାର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସେଠାରେ ଭଲ ଦି ପଇସା ବି ରୋଜଗାର କରୁଥିଲେ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ହସ ଖୁସିର ସଂସାର ଥିଲା। କିନ୍ତୁ କିଛି ବର୍ଷ ଧରି ସେଆଉ ଘରକୁ ନ ଆସିବା ଯୋଗୁ ପାଖ ଗାଁର କିଛି ଲୋକଙ୍କ ସହାୟତାରେ ବେଣୁଧରକୁ ଖୋଜିବା ପାଇଁ କୋଲକାତା ଯାଇଥିଲେ ସ୍ତ୍ରୀ ଶୋଭାବତୀ ଓ ବଡ ପୁଅ ବାସୁଦେବ। କିନ୍ତୁ କୋଲକାତାରେ ବେଣୁଧରଙ୍କୁ ନପାଇ ନିରାଶ ହୋଇ ଗାଁକୁ ଫେରୀ ଆସିଲେ ପୁଅ ଆଉ ସ୍ତ୍ରୀ।

brudhaଏହାରି ଭିତରେ ବିତିଗଲାଣି ୩୬ ବର୍ଷ। ପରିବାରର ବିଭିନ୍ନ ସମାସ୍ୟାକୁ ନେଇ ବାସୁଦେବ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ। ଜ୍ୟୋତିଷ ଜଣକ ତାଙ୍କ ପରିବାର ଉପରେ ପ୍ରେତାତ୍ମାର ଦୃଷ୍ଟି ରହୁଥିବାର କହି ତାଙ୍କୁ ମୁକ୍ତିମଣ୍ଡପ ଯାଇ ପ୍ରତିକାର କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ବାସୁଦେବ ପୁରିଯାଇ ସେଠାରେ କିଛି ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ। ପଣ୍ତିତଙ୍କ କହିବା ଅନୁସାରେ କାର୍ତ୍ତିକ ମାସ ଏକାଦଶୀ ଠାରୁ ରୀତିନୀତି ଅନୁସାରେ ୧୪ ଦିନ ପଯ୍ୟନ୍ତ ବାପାଙ୍କ କ୍ରିୟାକର୍ମ କରିବା ପାଇଁ ପରାମର୍ଶ ଦେଇଥିଲେ।

ପଣ୍ତିତଙ୍କ କହିବା ଅନୁସାରେ ଆଜି କୋକେଇ ବାନ୍ଧି ପଳାସ ପତ୍ରରେ ଶବ ତିଆରି କରିବା ସହିତ ସେଥିରେ ଧଳା କପଡା ଘୋଡାଇ ଦିଆଯାଇଥିଲା । ବେଣୁଧରଙ୍କ ପତ୍ନୀ ଶୋଭାବତୀ ବାହୁନି କାନ୍ଦିବା ସହିତ ଚୁଡିଶଙ୍ଖାକୁ କୋକେଇରେ ରଖି ଦେଇଥିଲେ। ବଡ ପୁଅ ବାସୁଦେବ ହାତରେ ନିଆ ବେଣୀ ଧରି ଆଗରେ ଚାଲିବା ସହିତ କୋକେଇକୁ ୪ ଜଣ କାନ୍ଧେଇ ଗାଁ ଶ୍ମଶାନକୁ ଯାଇଥିଲେ । ଆଗରେ ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ ମୃଦଙ୍ଗ ବଜାଇ ଯିବା ସହିତ ନାତି ଖଇ କଉଡି ବିଞ୍ଚି ଥିଲେ। ଗାଁ ଶ୍ମଶାନ ଗୃହରେ ଶବ ସଂସ୍କାର କରାଯାଇଥିଲା। ବଡ ପୁଅ ବାସୁଦେବ ମୁଖାଗ୍ନି ଦେଇଥିଲେ। ତେବେ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏ ଘଟଣାରୁ ଜଣାପଡୁଛି ଯେ ଏବେ ବି ଏହି ପରମ୍ପରା ଲୋକମାନଙ୍କ ପାଖରେ ରହିଛି ଓ ଲୋକମାନେ ଏହାକୁ ବିଶ୍ୱାସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.