ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ: ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା

ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଆଗାମୀ ୩ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଖରାର ପ୍ରକୋପ ଜାରି। ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ବି ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୧.୬, ହୀରାକୁଦରେ ୪୦.୨, ଭୁବନେଶ୍ୱରରେ ୩୯.୨, ବାଲେଶ୍ୱରରେ ୩୮.୨, କେନ୍ଦୁଝରରେ ତାପମାତ୍ରା ୩୭.୮ ଡିଗ୍ରୀ ରହିଛି। ଆଗାମୀ ୩ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କାଲି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାର ବର୍ଷା ହୋଇପାରେ। ବିଜୁଳି ଓ ଘଡ଼ଘଡ଼ି ପାଇଁ କାଲି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା। ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋସଲ୍‌ସ। ପଶ୍ଚିମା ଝଡ଼ର ପ୍ରଭାବ ସାରା ଦେଶରେ ଅନୁଭୂତ ହେବ। ଆଜିଠାରୁ ଏହାର ପ୍ରଭାବ ଆଫଗାନିସ୍ତାନରୁ ପାକିସ୍ତାନ ଓ ଭାରତର ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ନେପାଳରେ ଅନୁଭୂତ ହେବ। ଏହି ସ୍ଥାନ ମାନଙ୍କରେ ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହରେ ମଧ୍ୟପ୍ରଦେଶ ଓ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.