ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ମୃତ ଯୁବକ ଜଣକ ହେଲେ ରଣ୍ଢା ଅଞ୍ଚଳର କାଳିଆ ସାମନ୍ତରାୟ।

ଗତ କାଲି ସନ୍ଧ୍ୟାରେ କୌଣସି ଏକ ଅଭିଯୋଗ ନେଇ ଥାନାକୁ ଆସିବା ପରେ ସେ ଥାନା ବାହାରକୁ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ପୋଲିସ ନିଆଁକୁ ଆୟତ୍ତ କରି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଥିଲା। ତେବେ କେଉଁ କାରଣ ଯୋଗୁଁ ସେ ଏମିତି କରିଛନ୍ତି, ବର୍ତ୍ତମାନ ସୁଦ୍ଧା ତାହା ଅସ୍ପଷ୍ଟ ରହିଛି। ଏ ନେଇ ପୋଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ଏମକେସିଜି ମେଡିକାଲରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ଅନ୍ୟପଟେ କାଳିଆ ଗତ କାଲି ସଂଧ୍ୟା ବେଳେ ଘରୁ ବାହାରିଥିବା ବେଳେ କେଉଁଆଡେ ଯାଉଛି ସେ ନେଇ ପରିବାର ଲୋକଙ୍କୁ କିଛି କହିନଥିଲେ। ଏଣୁ କେଉଁ କାରଣରୁ ସେ ଏଭଳି କାମ କଲେ ସେ ନେଇ ପରିବାର ଲୋକ ମଧ୍ୟ କିଛି ଜାଣିନଥିବା କହିଛନ୍ତି।