ନିରୀହ ଚନ୍ଦ୍ରଶେଖର କେମିତି ହେଲେ ଆଜାଦ ? ପଢନ୍ତୁ ବିପ୍ଲବୀଙ୍କ ଲୋମଟାଙ୍କୁରା କାହାଣୀ

ବ୍ରିଟିସ୍ ସରକାରଙ୍କ କବଳରୁ ଦେଶକୁ ମୁକ୍ତି ପାଇଁ ଅନେକ ବୀର ସଂଗ୍ରାମୀ ନିଜ ଜୀବନକୁ ବଳିଦେଇଥିଲେ । ଆଉ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଚନ୍ଦ୍ରଶେଖର ଆଜାଦ । ଅହିଁସା ଉପାୟରେ ଯେ, ଦେଶକୁ ସ୍ୱାଧୀନ କରିହେବ ତାହା ତାଙ୍କର ବିଶ୍ୱାସ ନ ଥିଲା । ଜଣେ ବିପ୍ଲବୀ ସଂଗ୍ରାମୀ ଭାବେ ଦେଶର ସ୍ବାଧୀନତା ପାଇଁ ସେ ନିଜ ଜୀବନକୁ ବଳି ଦେଇଥିଲେ । ଦେଶବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ଆଜାଦଙ୍କ ବୀରତାର ଗାଥା । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ଖାସ କଥା ।

– ଚନ୍ଦ୍ରଶେଖର ଆଜାଦ ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଅଲିରାଜପୁର ସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂର୍ବଜମାନେ କାନପୁର ନିକଟସ୍ଥ ଭନ୍ନାଉ ଜିଲ୍ଲାରେ ବସବାସ କରୁଥିଲେ । ତାଙ୍କ ମାତା ଜଗରାଣୀ ଦେବୀ ତିୱାରୀ ପିତା ଶିବରାମ ତିୱାରୀଙ୍କ ତୃତୀୟ ସ୍ତ୍ରୀ ଥିଲେ । ଚନ୍ଦ୍ରଶେଖରଙ୍କ ବଡ଼ଭାଇ ଶୁଖଦେବ ତିୱାରୀଙ୍କ ଜନ୍ମ ପରେ ତାଙ୍କ ପରିବାର ଅଲିରାଜପୁରକୁ ଚାଲିଆସିଥିଲେ । ଚନ୍ଦ୍ରଶେଖର ଆଜାଦଙ୍କ ମାଆ ଚାହୁଁଥିଲେ ଯେ ସେ ଜଣେ ସଂସ୍କୃତ ବିଦ୍ୱାନ ପଢ଼ନ୍ତୁ, ତେଣୁ ପିତା ତାଙ୍କୁ ବାରାଣସୀର କାଶୀ ବିଦ୍ୟାପୀଠକୁ ପଠାଇଥିଲେ ।

– ଚନ୍ଦ୍ରଶେଖର ଆଜାଦଙ୍କ ବାଲ୍ୟ ଜୀବନୀ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ବିତି ଥିଲା। ସେଥିପାଇଁ ତୀର ଚାଳନାରେ ସେ ଖୁବ୍ ପାରଙ୍ଗମ ଥିଲେ।।

– ଜାଲିୱାଲାବାଗ୍ ନରସଂହାର ସମୟରେ ବନାରାସରେ ପଢୁଥିଲେ ଚନ୍ଦ୍ରଶେଖର ଆଜାଦ । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଅନ୍ୟ ଛାତ୍ର ମାନଙ୍କ ସହ ଆଜାଦ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ ।

chandrashekhar azad– ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଯେତେବେଳେ କୋର୍ଟରେ ହାଜର କରାଯାଇଥିଲା ବିଚାରପତିଙ୍କୁ ସେ ଦେଇଥିବା ଉତ୍ତର ଖୁବ୍ ନିର୍ଭିକ ଥିଲା। ବିଚାରପତି ତାଙ୍କ ବାପାଙ୍କ ନାମ ପଚାରିଥିଲେ। ଜବାବରେ ଚନ୍ଦ୍ରଶେଖର ତାଙ୍କ ନାଁ ଆଜାଦ୍, ବାପାଙ୍କ ନାଁ ସ୍ୱତନ୍ତ୍ରତା ଏବଂ ଠିକଣା ଜେଲ ବୋଲି କହିଥିଲେ।

– ପ୍ରଥମ ଥର ଗିରଫ ହେବା ପରେ ତାଙ୍କୁ ୧୫ ଚାବୁକ ପାହାର ଦଣ୍ଡ ଦିଆଯାଇଥିଲା । ହେଲେ ପ୍ରତି ଚାବୁକ ପାହାରରେ ତାଙ୍କ ପାଟିରୁ ବାହରୁଥିଲା ବନ୍ଦେ ମାତରମ୍ ଏବଂ ମହାତ୍ମା ଗାନ୍ଧୀଙ୍କ ଜୟ । ଆଉ ଏଇଠୁଁ ହିଁ ଆଜାଦ୍ ନାମରେ ପରଚିତ ହେଲେ ଚନ୍ଦ୍ରଶେଖର ।

– ମହାତ୍ମା ଗାନ୍ଧିଙ୍କ ଡାକରାରେ ହୋଇଥିବା ଅହିଁସା ଆନ୍ଦୋଳନ ୧୯୨୨କ୍ଷହ ଚୌରୀଚୌରା ଘଟଣା ପରେ ପ୍ରତ୍ୟାହାର କରିନେଇ ଥିଲେ ଗାନ୍ଧିଜୀ। ଅଚାନକ ଏହି ଆନ୍ଦୋଳନ ବନ୍ଦ ହେବା ପରେ ଚନ୍ଦ୍ରଶେଖର ଅଜାଦଙ୍କ ବିଚାରଧାରରେ ପରିବର୍ତ୍ତନ ଆସିଥିଲା। ତେଣୁ ସେ କ୍ରାନ୍ତିକାରୀ ଅଭିଯାନରେ ସାମିଲ ହୋଇଥିଲେ। ବିପ୍ଲବୀ ସଙ୍ଗଠନ ହିନ୍ଦୁସ୍ଥାନ ରିପବ୍ଲିକ ଆସୋଏସିଏସନ୍ ସହ ଯୋଡ଼ି ହୋଇଥିଲେ ଚନ୍ଦ୍ରଶେଖର ଆଜାଦ।

Chandrashekhar_azad_biography– ଧନର ପାଇଁ ଗାଁର ଧନୀ ପରିବାର ଡକାୟତି କରିବା ପାଇଁ ନିଷ୍ପତ୍ତି ନେଇଥିଲା ହିନ୍ଦୁସ୍ତାନ ପ୍ରଜାନ୍ତାତ୍ରିକ ସଂଘ । କିନ୍ତୁ କୌଣସି ମହିଳାଙ୍କ ଉପରେ ହାତ ନଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଗୋଟିଏ ଗାଁରେ ଯେତେବେଳେ ଜଣେ ମହିଳା ଆଜାଦଙ୍କ ବନ୍ଧୁକ ଛଡାଇ ନେଇଥିଲେ ସେତେବେଳେ ବଳଶାଳୀ ଶରୀର ଥାଇ ମଧ୍ୟ ଆଜାଦ ତାଙ୍କ ଉପରେ ହାତ ଉଠାଇନଥିଲେ ।

– ମହାନ ସଂଗ୍ରାମୀ ଲାଲା ଳଜପତ ରାୟଙ୍କୁ ହତ୍ୟାର ପ୍ରତିଶୋଧ ନେବା ସହ ହତିଆର କିଣିବା ପାଇଁ ଐତିହାସିକ କାକୋରି ଟ୍ରେନ୍ ଲୁଟ୍ରେ ରାମ ପ୍ରସାଦ ବିସ୍ମିଲଙ୍କ ସହ ସେ ସମ୍ପୃକ୍ତ ଥିଲେ। ଏହି ଘଟଣା ବ୍ରିଟିଶ୍ ସରକାରଙ୍କୁ ଦୋହଲାଇ ଦେଇଥିଲା ।

– ୧୭ ଡିସେମ୍ବର ୧୯୨୮ରେ ଭଗତ ସିଂହ, ଆଜାଦ ଏବଂ ରାଜଗୁରୁ ସଂଧ୍ୟା ସମୟରେ ପୋଲିସ୍ ଅଧିକ୍ଷକଙ୍କ ଅଫିସ ଘେରାଉ କରିନେଇଥିଲେ । ଯେମିତି ଜେ.ପି ସୋଣ୍ଡର୍ସ ନିଜ ଅଙ୍ଗରକ୍ଷକ ସହ ବାହାରକୁ ବାହରିଲେ ସଙ୍ଗେ ସଙ୍ଗେ ରାଜଗୁରୁ ପ୍ରଥମ ଗୁଳି ଚଲାଇଥିଲେ । ଯାହା ସିଧା ସୋଣ୍ଡର୍ସଙ୍କ ମୁଣ୍ଡରେ ଲାଗିଥିଲା ଏବଂ ସେ ଗାଡିରୁ ତଳେ ପଡିଯାଇଥିଲେ । ଏହା ପରେ ଭଗତ ସିଂହ ଆଗକୁ ଯାଇ ୪-୬ ଗୁଳି ମାରିଥିଲେ । ଯେତେବେଳେ ସୋଣ୍ଡର୍ସଙ୍କ ଅଙ୍ଗରକ୍ଷକ ତାଙ୍କ ପିଛା କରିଥିଲେ ସେତେବେଳେ ଚନ୍ଦ୍ରଶେଖର ନିଜ ଗୁଳିରେ ତାକୁ ସଫା କରିଦେଇଥିଲେ ।

ଏହାସହ ପଢନ୍ତୁ: ୬୦୦ ସେନାଙ୍କ ଗାଁ ଲୁହାନା, ଆଜାଦ ହିନ୍ଦ ଫୌଜରେ ଥିଲେ ୧୪ ବୀର ଯବାନ : ପଢନ୍ତୁ ଏକ ଗୌରବଗାଥା

– ସୋଣ୍ଡର୍ସଙ୍କ ହତ୍ୟା ପରେ ସବୁ ସ୍ଥାନରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଲାଲା ଳଜପତ ରାୟଙ୍କୁ ହତ୍ୟାର ପ୍ରତିଶୋଧ ନିଆଯାଇଛି ।

– ଭଗତ ସିଂହ, ସୁଖଦେବ ତଥା ରାଜଗୁରୁଙ୍କ ଫାଶୀକୁ ଅଟକାଇବା ପାଇଁ ଦୁର୍ଗା ଭାଉଜଙ୍କୁ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ ଆଜାଦ । କିନ୍ତୁ କୌଣସି କୌଣସି ଜବାବ ପାଇନଥିଲେ ସେ ।

– ୨୭ ଫେବୃଆରୀ ୧୯୩୧ରେ ଆହ୍ଲାବାଦର ଅଲଫ୍ରେଡ ପାର୍କରେ ପୋଲିସ ତାଙ୍କୁ ଘେରାବନ୍ଦୀ କରି କରି ଗୁଳି ଚଳେଇବା ଆରମ୍ଭ କରିଦେଲା । ସେଇଁଠି ହିଁ ଚନ୍ଦ୍ରଶେଖର ଶପଥ ନେଇ ଥିଲେ ଯେ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନରେ କେବେ ପୋଲିସ ହାତରେ ଧରା ଦେବେ ନାହିଁ। ସେଥିପାଇଁ ସେ ନିଜ ପାଖରେ ବଂଚିଥିବା ଶେଷ ଗୁଳିରେ ନିଜକୁ ଗୁଳି କରିଥିଲେ।

– ଏହିପରି ବଂଚିଥିବା ପର୍ଯ୍ୟନ୍ତ ଇଂରେଜଙ୍କ ହାତରେ କେବେ ଧରା ନଦେବାର ପ୍ରତିଜ୍ଞାକୁ ପୁରା କରିଥିଲେ ଚନ୍ଦ୍ରଶେଖର ଆଜାଦ । ଆଉ ୨୭ ଫେବୃଆରୀ ୧୯୩୧ ରେ ହୋଇଥିବା ଏହି ଘଟଣା ଚିରଦିନ ପାଇଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.