ଯାଜପୁରରେ ବୁଲବୁଲର ପ୍ରଭାଵ, ଆଣ୍ଠୁଏ ପାଣିରେ ଭାସୁଛି ଏବର୍ଷର ଅମଳ, ଚିନ୍ତାରେ ଚାଷୀ

  ଯାଜପୁର, ଯାଜପୁର ଟାଉନ (କେନ୍ୟୁଜ୍) : ଜିଲ୍ଲାରେ ସାମୁଦ୍ରିକ ଝଡ଼ ବୁଲବୁଲର ପ୍ରଭାବ। ଦୁଇ ଦିନ ଧରି ବର୍ଷା ସାଙ୍ଗକୁ ପବନ ବହିବା ଫଳରେ ଧାନ ଚାଷ ନଷ୍ଟ ହେବା ନେଇ ଆଶଙ୍କା ଉପୁଜିଛି। ଜିଲ୍ଲାର ୧୦ଟି ଯାକ ବ୍ଲକରେ ହାରାହାରି ୩୦ମିଲି ମିଟର ବର୍ଷା ହୋଇଥିବା ସରକାରୀ ରେକର୍ଡ଼ରୁ ଜଣାପଡିଛି। ବିଶେଷ ଭାବରେ ଜିଲ୍ଲାର ଯାଜପୁର ସମେତ ଦଶରଥପୁର, ବିଂଝାରପୁର, ବରୀ, ଧର୍ମଶାଳା ଆଦି ବିଭିନ୍ନ ବ୍ଲକରେ ଅଧିକ ବର୍ଷା ହୋଇଥିବା ଜଣାପଡିଛି। ପବନ ହେବା ଦ୍ୱାରା ଧାନ ଗଛ ତଳେ ଲୋଟିବା ସହ କ୍ଷେତରେ ବର୍ଷା ପାଣି ଜମି ରହିଛି। ଫଳରେ ଧାନ ଗଛ ପଚିଯିବା ନେଇ ଆଶଙ୍କା କରିଛି ଚାଷିକୂଳ। କ୍ଷେତରୁ ଧାନ ଗଛକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି। ବିଭିନ୍ନ ବ୍ଲକରେ ଏକର ଏକର ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ତେବେ ଏସବୁର ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସେପଟେ ଦଶରଥପୁର ବ୍ଳକ ବିରଜାପୁର ଏବଂ ଇଜାପୁର ଅଂଚଳର ନାନା ଦୁର୍ଦ୍ଧଶା ଦେଇଯାଇଛି ବୁଲବୁଲ । ବିଭିନ୍ନ ଧାର କରଜ ଏବଂ ଋଣ କରି ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି । କିଭଳି ଋଣ ପରିଶୋଧ କରିବ ତାକୁ ନେଇ ଚିନ୍ତାରେ ଘାରି ହେଉଛି ଚାଷୀ । ଗୋଟିଏ ପଟେ ବର୍ଷା ଜଳ ଯୋଗୁଁ ନଷ୍ଟ ହୋଇଛି ଧାନ ପଂସଲ ଓ ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଧାନରେ ଚକଡା ପୋକ ଲାଗିବା ଆରମ୍ଭ ହେଲାଣି । ଦିନକୁ ଦିନ ବୃଦ୍ଧି ପାଉଛି ଏହି ପୋକର ପ୍ରାଦୃଭାବ ।

ସାମୁଦ୍ରିକ ଝଡ ବୁଲ ବୁଲ ପ୍ରଭାବରେ ଯାଜପୁର ଜିଲାରେ ଗତ ୯ ତାରିଖ ଦିନ ମୋଟ ୩୦୯ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେଥିମଧ୍ୟରୁ ବିଂଝାରପୁରରେ ସର୍ବାଧିକ ୯୦ ମିଲିମିଟର,ଦଶରଥପୁର ବ୍ଲକରେ ୫୮ ମିଲିମିଟର ଏବଂ ଯାଜପୁର ବ୍ଲକରେ ୪୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ବର୍ଷା ପଂଳରେ ଏହି ୩ ବ୍ଲକରେ ସର୍ବାଧିକ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି । ସେପଟେ ବୁଲବୁଲ ଜନିତ କ୍ଷୟକ୍ଷତି ର ଅନୁଧ୍ୟାନ ପାଇଁ ଯାଜପୁରର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ବିଭିନ୍ନ ବ୍ଲକ ଗସ୍ତ କରିଛନ୍ତି । ବର୍ଷା ଜନିତ କ୍ଷୟକ୍ଷତି ର ଆକଳନ ପାଇଁ ଭାରପ୍ରାପ୍ତ ଜିଲାପାଳ ଜିଲା କୃଷିଅଧିକାରୀ ଏବଂ ତହସିଲଦାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ।ବୁଲବୁଲ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରି ତୁରନ୍ତ ଚାଷୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.