ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ଭୋକ ଉପାସରେ ରଖିଥିଲା ସ୍ୱାମୀ, ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ ବିଭିନ୍ନ ସଂଘ କର୍ମକର୍ତ୍ତା
ତାଳଚେର: ରାକ୍ଷସ ସ୍ୱାମୀର ହୀନ ପ୍ରବୃତ୍ତି । ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଭୋକ ଉପାସରେ ରଖିଲା ସ୍ୱାମୀ । ଦୀର୍ଘ ତିନି ଦିନ ଧରି ସ୍ତ୍ରୀକୁ ବନ୍ଦ କରି ରଖିବା ପରେ ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ ବିଭିନ୍ନ ସଂଘ କର୍ମକର୍ତ୍ତା। ଭାଉଜ ସହ ଅନୈତିକ ସଂପର୍କ ରଖିବାରୁ ସ୍ତ୍ରୀର ବିରୋଧ ପରେ ଏଭଳି ଅଭାବନୀୟ ଘଟଣା ଘଟିିଥିବା ଜଣାପଡ଼ିଛି। ତାଳଚେର ବାଲୁଗାଁର ଗୋବିନ୍ଦ ବେହେରା ନିଜ ଚତୁର୍ଥ ଭାଉଜଙ୍କ ସହ ଅନୈତିକ ସଂପର୍କ ରଖିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପରେ କିଛି ଦିନ ପରେ ପାଞ୍ଚାଳି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
ତେବେ ଗୋବିନ୍ଦ ତାଙ୍କୁ ସବୁବେଳେ ଶାରୀରିକ ଓ ମାନସିକ ନିର୍ୟାତନା ଦେଇ ଆସୁଥିବା ପାଞ୍ଚାଳି ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେବା ସହ ତାଲା ପକାଇ ରଖିଥିଲେ। ତେବେ ପାଞ୍ଚାଳିଙ୍କ ପରିବାର ଏହା ଜାଣିବା ପରେ ସ୍ଥାନୀୟ ସମାଜସେବୀ ଓ ବିଭିନ୍ନ ସଂଘର ଦ୍ୱାରସ୍ଥ ହୋଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋବିନ୍ଦଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।