ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲା ଭାରତୀୟ ସେନା, କୁପଓ୍ଵାଡ଼ା ଅନୁପ୍ରବେଶକାରୀ ଆତଙ୍କବାଦୀ ନିପାତ

ପୁଣି ଥରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି ପାକିସ୍ତାନ। ଗୁରୁବାର ଭାରତୀୟ ସୀମାରେଖାରେ ପାକିସ୍ତାନ ତରଫରୁ ଗୁଳିଗୋଳା ବିସ୍ଫୋରଣ କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି। କୁପଓ୍ଵାଡ଼ା ଓ ମେଣ୍ଢରରେ ନିୟନ୍ତ୍ରଣ ରେଖା ଉପରେ କୃଷ୍ଣା ଘାଟୀ ଓ ମନକୋଟ୍‌ ସେକ୍ଟରରେ ପାକିସ୍ତାନ ତରଫରୁ ପ୍ରବଳ ଗୁଳିମାଡ଼ କରାଯାଇଛି। ଆତଙ୍କବାଦୀମାନେ ଏଠାରେ ଲଞ୍ଚିଂ ପ୍ୟାଡ୍‌କୁ ଧ୍ୱଂସ କରିଦେଇଛନ୍ତି।

ପାକିସ୍ତାନର ଏହି ଅତର୍କିତ ଆକ୍ରମଣ ପରେ ଭାରତୀୟ ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଛନ୍ତି। ସେନାବାହିନୀର ଗୁଳିରେ ପାକିସ୍ତାନୀ ଆତଙ୍କବାଦୀ ମୃତାହତ ହୋଇଥିବା ଜଣାଯାଇଛି। ସେନାକୁ ସୂଚନା ମିଳିଥିଲା ଯେ ଲଶ୍କର ଓ ଜୈଶର ଆତଙ୍କବାଦୀ ଏଠାରେ ଏକତ୍ର ହୋଇ ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ପରେ ଯବାନ ମାନେ ଯାଞ୍ଚ କରିବା ବେଳେ ଆତଙ୍କବାଦୀମାନେ ସେନାବାହିନୀ ଉପରକୁ ଆକ୍ରମଣ କରିଥିଲେ। ଦବରାଜ, ନାଡ଼ମନକୋଟ, ଚୋଇ ମନକୋଟ, ବଲନୋଇ ଓ ଧାନୀ ଆଦି ଅଞ୍ଚଳରେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ତେବେ ଏଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ।

ରିପୋର୍ଟ ମୁତାବକ, ଅନ୍ଧକାରର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଯୋଜନା କରୁଥିଲେ। ଦୁଇ ଦିନ ପୂର୍ବରୁ ଅନୁପ୍ରବେଶକାରୀକୁ ରୋକିବା ବେଳେ ପଞ୍ଜାବର ହୋସିୟାରପୁରର ଯବାନ ସୁବିନ୍ଦର ସିଂହ ସହିଦ ହୋଇଛନ୍ତି।

Leave A Reply

Your email address will not be published.