ଭଦ୍ରକ (କେନ୍ୟୁଜ୍) : ଲୋଭନୀୟ ଅଫର ଦେଇ କୋଟିଏରୁ ଅଧିକ ଟଙ୍କା ଲୁଟ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ହୋଇଛି ଏଭଳି ବଡ଼ଧରଣର ଠକେଇ। ନଭେମ୍ବର ୨୬ତାରିଖର ଦୁର୍ଗା ଏଜେନ୍ସି ଆଣ୍ଡ ସପ୍ଲାୟର ନାମକ ସଂସ୍ଥା ଖୋଲିବା ପରେ ଲୋକଙ୍କୁ କିସ୍ତି ଟଙ୍କାରେ ମୂଲ୍ୟବାନ ସାମଗ୍ରୀ ଯୋଗାଇ ଆସୁଥିଲା। ଆଗୁଆ ଟଙ୍କା ପଇଠ କଲେ ଯେତେ ବିଳମ୍ବ ହେବ, ରିହାତି ସେତେ ଅଧିକ ହେବ ବୋଲି ସ୍କିମ ଗ୍ରାହକଙ୍କ ପାଇଁ ରହିଥିଲା। ଗୋଟିଏ ମାସ ମଧ୍ୟରେ କଂପାନୀ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା। ତେବେ କୋଟିଏରୁ ଅଧିକ ଟଙ୍କା ଲୋକଙ୍କ ଠାରୁ ଅଗ୍ରିମ ଆକାରରେ ଠକିବା ପରେ ସଂସ୍ଥା ରାତିଅଧିଆ ଉଭାନ ହୋଇଯାଇଛି। ସଂସ୍ଥାର କର୍ମଚାରୀଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବା ପରେ ଫୋନ ବନ୍ଦ ରହିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ଟଙ୍କା ଫେରିପାଇବାକୁ କାଉଣ୍ଟର ଆଗରେ ଲୋକମାନେ ଭିଡ଼ ଜମାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।