କେନ୍ୟୁଜ୍(ବ୍ୟୁରୋ): ଦେଶରେ ବଢୁଛି ସଡ଼କ ଦୁର୍ଘଟଣା। ମୃତ୍ୟୁ ସଂଖ୍ୟା ବି ଉପରମୁହାଁ । କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ୨୦୧୭ରେ ଦେଶରେ ୧ ଲକ୍ଷ ୪୬ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ସଂସଦରେ ଏହି ତଥ୍ୟ ରଖିଥିଲେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ।କିନ୍ତୁ ବ୍ରିଟିଶ ଜର୍ଣ୍ଣାଲ୍ ଲାନସେଟ୍ର ତଥ୍ୟ ଅନୁସାରେ ୨୦୧୭ରେ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୧୮ ହଜାର। ଅର୍ଥାତ କେନ୍ଦ୍ର ସରକାରଙ୍କ ଡାଟା ଅପେକ୍ଷା ୭୦ ହଜାରରୁ ଅଧିକ। ଲାନସେଟ୍ ରିପୋର୍ଟ ଅନୁସାରେ, ଦେଶରେ ଦୁର୍ଘଟଣାପ୍ରବଣ ରାଜ୍ୟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ଏଠାରେ କ୍ରମାଗତ ଭାବରେ ସଡ଼କ ଦୁର୍ଘଟଣା ବଢୁଛି। ମୃତ୍ୟୁ ସଂଖ୍ୟାରେ ରେଡ୍ ଜୋନରେ ଆସୁଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ଡାଟା କହୁଛି, ୨୦୧୬ରେ ଓଡ଼ିଶାରେ ୪ ହଜାର ୪୬୩ ଜମଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ଦୁର୍ଘଟଣାରେ ଯାଇଥିଲା ୪ ହଜାର ୭୯୦ ଲୋକଙ୍କ ଜୀବନ। ଅର୍ଥାତ ମୃତ୍ୟୁ ସଂଖ୍ୟାରେ ୭ ଦଶମିକ ୩ ପ୍ରତିଶତ ଅଧିକ । ଗତକାଲି ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। କଡ଼ା ଆଇନ ଓ ବହୁ ସଚେତନତା କାର୍ଯ୍ୟକ୍ରମ ପରେ ବି ଦୁର୍ଘଟଣାରେ ରୋକ ଲାଗି ପାରୁ ନାହିଁ ।