ବେଙ୍ଗାଲୁରୁ : ଠିକ୍ େଓ୍ଵଷ୍ଟଇଣ୍ଡିଜ୍ ସହ ଟି-୨୦ ସିରିଜ୍ ଭଳି ଅଷ୍ଟ୍ରେଲିଆ ବିପକ୍ଷରେ କଡ଼ା ଟକ୍କର ପରେ ଦିନିକିଆ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଗତକାଲି ଏଠାରେ ଚମତ୍କାର ଖେଳ ଦେଖାଇ ଘରୋଇ ଦଳ ଶେଷ ମ୍ୟାଚ୍ରେ ୭ ଓ୍ଵିକେଟ୍ ରେ ଜିତିବା ସହ ୨-୧ରେ ସିରିଜ୍ ବିଜୟୀ ହୋଇଥିଲା । ତେବେ ମ୍ୟାଚ୍ ଶେଷରେ ଅଧିନାୟକ ବିରାଟ କୋହଲି ସବୁଠାରୁ ବେଶି ପ୍ରଶଂସା କରିଥିଲେ କେ.ଏଲ୍ ରାହୁଲଙ୍କୁ । କାରଣ ରାହୁଲ ଚମତ୍କାର ବ୍ୟାଟିଂ କରିବା ସହ ଦଳର ଆବଶ୍ୟକତା ବେଳେ ଜଣେ ଓ୍ଵିକେଟ୍ କିପର ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।
ପ୍ରଥମ ମ୍ୟାଚ୍ରେ ନିୟମିତ ଓ୍ଵିକେଟ୍ କିପର ଋଷଭ ପନ୍ତ ଆହତ ହେବା ପରେ ଶେଷ ଦୁଇଟି ମ୍ୟାଚ୍ରେ ରାହୁଲ କିପିଂ କରିଥିଲେ । ଓ୍ଵିକେଟ୍ ପଛରେ ତାଙ୍କର ପ୍ରଦର୍ଶନ ଭଲ ହୋଇଥିବାରୁ ଏବେ ଦଳ ଚାହୁଁଛି ଧୋନିଙ୍କ ଭଳି ସେ ଡବଲ୍ କାମ କରନ୍ତୁ । ଏମିତିକି ଗତକାଲି ବିରାଟ କହିଛନ୍ତି ଯେ ରାହୁଲ ଏହି ଦ୍ୱୈତ ଦାୟିତ୍ୱରେ ରହିବେ । ଯାହାଫଳରେ ପନ୍ତଙ୍କୁ ଅନ୍ତତଃ ଦିନିକିଆ ଓ ଟି-୨୦ରେ ଦଳରେ ଖେଳିବାକୁ ସୁଯୋଗ ନମିଳି ପାରେ ।
ଅତୀତରେ ରାହୁଲଙ୍କୁ ଦଳରେ ଜାଗା ମିଳୁନଥିଲା । ହେଲେ ସେ ନିଜର ବଢ଼ିଆ ଖେଳ ପ୍ରଦର୍ଶନ ବଳରେ ଦଳ ପାଇଁ ଅପରିହାର୍ଯ୍ୟ ପାଲଟି ଯାଇଛନ୍ତି । ସେ ଓପ୍ନିଂ ହେଉକି ପ୍ରଥମରୁ ଚତୁର୍ଥ ସ୍ଥାନ, ସବୁଠାରେ ଭଲ ବ୍ୟାଟିଂ କରିବା ସହ ଏବେ କିପିଂ ମଧ୍ୟ କରୁଛନ୍ତି । ରାହୁଲ ଦ୍ୱୈତ ଭୂମିକାରେ ରହୁଥିବାରୁ ଦଳରେ ଆଉ ଜଣେ ବୋଲର୍ କିମ୍ବା ଅଲରାଣ୍ଡରକୁ ନେବାର ସୁଯୋଗ ମିଳି ଯାଉଛି । ରାହୁଲ ଅଷ୍ଟ୍ରେଲିଆ ସହ ତିନିଟି ମ୍ୟାଚ୍ରେ ଯଥାକ୍ରମେ ୪୭, ୮୦ ଓ ୧୯ ରନ୍ ସ୍କୋର କରିବା ସହ ଶେଷ ଦୁଇଟି ମ୍ୟାଚ୍ରେ ୪ଟି କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି । ସେହିପରି ଏହା ପୂର୍ବରୁ ଶ୍ରୀଲଙ୍କା ସହ ଦୁଇଟି ଟି-୨୦ ମ୍ୟାଚ୍ରେ ସେ ୪୫ ଓ ୫୪ ରନ୍ ସ୍କୋର କରିଥିଲେ । ତେଣୁ କୋହଲି କହିଛନ୍ତି, ଆଗାମୀ ନ୍ୟୁଜିଲାଣ୍ଡ ସିରିଜ୍ରେ ମଧ୍ୟ ରାହୁଲ ଏହି ଡବଲ୍ ରୋଲ୍ରେ ରହିବେ ।
ସମସ୍ତଙ୍କର ଆଶା ରହିଛି ଯଦି ରାହୁଲ ଏଭଳି ଭାବେ ଡବଲ୍ ରୋଲ୍ରେ ସଫଳ ହୁଅନ୍ତି ତେବେ ଧୋନିଙ୍କ ଶୂନ୍ୟସ୍ଥାନ ପୂରଣ ହୋଇ ପାରିବ ।