ଭୁବନେଶ୍ବର (କେନ୍ୟୁଜ୍) : କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାର ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ବାଲେଶ୍ୱର ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବରେ ଯୋଗ ଦେବାକୁ ଗତକାଲି ରାତିରେ ଭୁବନେଶ୍ୱର ପହଞ୍ଚିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବାକୁ କେହି ଆସିନଥିଲେ।
ବାଲେଶ୍ୱର ପର୍ୟ୍ୟନ୍ତ ହେଲିକପ୍ଟରରେ ଯିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ କହିଥିଲେ। କିନ୍ତୁ ରାଜ୍ୟ ସରକାର ସଡ଼କରେ ଯିବାକୁ କହିଲେ ବୋଲି କେଭି କହିଛନ୍ତି। ପୋଲିସ ପାଇଲଟ ଗାଡ଼ି ମଧ୍ୟ ଯାଜପୁର ଯାଏ ଯାଇଥିଲା। ପରେ ଅଶ୍ୱିନୀ ଚୌବେ ବାଲେଶ୍ୱର ପର୍ୟ୍ୟନ୍ତ ଏକା ଯାଇଥିଲେ। କନକ ବର୍ଦ୍ଧନ କହିଛନ୍ତି, ରାଜ୍ୟରେ ହେଉଥିବା ମେଡିକାଲ କଲେଜଗୁଡ଼ିକ ପାଇଁ କେନ୍ଦ୍ର ୬୦ପ୍ରତିଶତ ଓ ରାଜ୍ୟ ୪୦ପ୍ରତିଶତ ଅର୍ଥ ଦେଉଛି। କିନ୍ତୁ ରାଜ୍ୟ କେବଳ ବାହାବାହି ନେଉଛି ବୋଲି କନକ ବର୍ଦ୍ଧନ କହିଛନ୍ତି।