ସାମ୍ନାକୁ ଆସିଲା କରୋନା ବ୍ୟାପିବାର ଆଉ ଏକ ବାଟ, ସ୍କ୍ରିନିଂ ବେଳେ ବି ସଂକ୍ରମିତ ହେଉଛି ମାରାତ୍ମକ ଭାଇରସ୍; ଜାଣନ୍ତୁ କେମିତି
ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରି ନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ ଅଛନ୍ତି। ତେବେ ନିର୍ଜୀବ ବସ୍ତୁରୁ ମଧ୍ୟ କରୋନା ବ୍ୟାପୁଥିବାରୁ ଲୋକେ କୌଣସି ଜିନିଷ ଛୁଇଁବା ପୂର୍ବରୁ ଦୁଇ ଥର ଚିନ୍ତା କରୁଥିବା ଦେଖାଯାଇଛି। ଇତି ମଧ୍ୟରେ କରୋନା ବ୍ୟାପିବାର ଆଉ ଏକ କାରଣ ସାମ୍ନାକୁ ଆସିଛି। କରୋନା ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ କରାଯାଉଥିବା ସ୍କ୍ରିନିଂ ଯୋଗୁ ମଧ୍ୟ କରୋନା ବ୍ୟାପୁଥିବା ଜଣେ ଯାତ୍ରୀ କହିଛନ୍ତି।
ଟିନୁ ଚେରିୟନ୍ ଅବ୍ରାହମ୍ ନାମକ ଏହି ବ୍ୟକ୍ତି ୨ ଦିନ ତଳେ ଆମେରିକାରୁ ଫେରିଛନ୍ତି। ସେ ବେଙ୍ଗାଲୁରୁର କେମ୍ପେନଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କ କହିବାନୁସାରେ ସ୍କ୍ରିନିଂ ପ୍ରକ୍ରିୟା ବେଳେ ସେ କତ୍ତାରରେ ବହୁ ସମୟ ଅପେକ୍ଷା କରିଥିଲେ। ଅପେକ୍ଷାରତ ଲୋକମାନେ ପରସ୍ପରର ଖୁବ୍ ନିକଟରେ ଠିଆ ହୋଇଥିଲେ। ଯେହେତୁ ସେମାନଙ୍କ ମଧ୍ୟରେ କିଏ କରୋନା ଆକ୍ରାନ୍ତ ଜଣାପଡ଼ୁନଥିଲା, ଏଣୁ ସମସ୍ତେ ପରସ୍ପର ସହ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ। ଏହା ଦ୍ୱାରା କରୋନା ବ୍ୟାପିବାର ଅଧିକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ତେବେ ସ୍କ୍ରିନିଂ ବେଳେ କରୋନା ବ୍ୟାପି ପାରେ ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଏହି ସମୟରେ ଲୋକମାନେ ପରସ୍ପରଠାରୁ ମାତ୍ର କିଛି ଇଞ୍ଚ ଦୂରତାରେ ଥିବାରୁ କାଶ, ଛିଙ୍କ ମାଧ୍ୟମରେ ମଧ୍ୟ ସଂକ୍ରମିତ ହୋଇପାରନ୍ତି। ଏଣୁ ଏଥିପ୍ରତି ସରକାର ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି।