ସୁପ୍ରିମକୋର୍ଟରେ ଫେଲ ମାରିବା ପରେ ଏବେ ଅନ୍ତର୍ଜାତୀୟ କୋର୍ଟର ଶରଣ ପଶିଛନ୍ତି ନିର୍ଭୟା ଗଣଦୁଷ୍କର୍ମର ଚାରି ଦୋଷୀ। ନିର୍ଭୟା ଗଣଦୁଷ୍କର୍ମର ତିନି ଦୋଷୀ ଅକ୍ଷୟ ସିଂହ, ପବନ ଗୁପ୍ତା ଓ ବିନୟ ଶର୍ମା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଫାଶୀ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ମାର୍ଚ୍ଚ ୫ ତାରିଖରେ ଟ୍ରାଏଲ କୋର୍ଟ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ଦୋଷୀଙ୍କୁ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ କରିଥିଲେ।
ଏଥିସହ ନିର୍ଭୟାର ଅନ୍ୟତମ ଦୋଷୀ ମୁକେଶର ଫାଶୀ ରୋକିବା ପାଇଁ କରାଯାଇଥିବା ଆଉ ଏକ ଚାଲ୍ ଫେଲ ମାରିଛି। ସୋମବାର ସୁପ୍ରିମକୋର୍ଟ ତାଙ୍କର ଆଉ ଏକ ପିଟିସନ୍କୁ ଖାରଜ କରିଦେଇଛନ୍ତି। ଏହି ପିଟିସନ୍ରେ ସେ ପୂର୍ବ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ଏହି ପିଟିସନ୍କୁ ସେ ନିଜ ଓକିଲ ଏମ୍ଏଲ୍ ଶର୍ମାଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ପୁଣିଥରେ କ୍ୟୁରେଟିଭ୍ ଓ ଦୟା ପିଟିସନ୍ ଦାଖଲ କରିବାର ଅନୁମତି ଦେବାକୁ କରିଥିଲେ।
ପିଟିସନରେ ମୁକେଶ ଆମିକସ୍ କ୍ୟୁରୀ ବୃନ୍ଦା ଗ୍ରୋଭରଙ୍କ ଉପରେ ଆଇନ୍କାନୁନ୍କୁ ନେଇ ଭୁଲ ସୂଚନା ଦେଇଥିବା ଅଭିଯୋଗ କରିଛନ୍ତି। ପିଟିସନ୍ରେ କୁହାଯାଇଥିଲା ଯେ ଗ୍ରୋଭର ଜାନୁଆରୀ ୭ ତାରିଖରେ ଜାରି କରାଯାଇଥିବା ଡେଟ୍ ଓ୍ଵାରେଣ୍ଟ ପରେ ଏକ ସପ୍ତାହ ଭିତରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିବାକୁ ବାଧ୍ୟ କରିଥିଲେ। ମାତ୍ର ତାଙ୍କୁ ଏବିଷୟରେ କୌଣସି ସୂଚନା ଦିଆଯାଇନଥିଲା ଯେ ଜୁଲାଇ ୨୦୧୮ରେ ରିଭ୍ୟୁ ପିଟିସନ୍ ଖାରଜ ହେବା ପରେ ତିନି ବର୍ଷ ମଧ୍ୟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିପାରିବେ।