ଭୂତ ଛଡ଼ାଇବାକୁ ଆସିଥିବା ଗୁଣିଆ ମାଡ଼ରେ ଗର୍ଭବତୀ ମହିଳା ଗୁରୁତର ଆହତ, ଜାଗା ଛାଡ଼ି ଗୁଣିଆ ଫେରାର

ମାଲକାନଗିରି: ଭୂତ ଛଡାଇବାକୁ ମହିଳାଙ୍କୁ ନିସ୍ତୁକ ମାଡ । ମାଲକାନଗିରି ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ମହିଳା ଜଣକ ଗୁଣିଆର ମାଡରେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଏମ୍‌ଭି-୬ ଗାଁର ଜଣେ ମହିଳାଙ୍କର ଗତ ୭ ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ ତାଙ୍କୁ ଭୂତ ଲାଗିଥିବା ନେଇ ସନ୍ଦେହ କରିଥିଲେ ।

କାରଣ ଗତ କିଛି ମାସ ତଳେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବରଣ କରିଥିବା ମହିଳା ଜଣକ ଗର୍ଭବତୀ ଥିଲେ। ଦୁହେଁ ପତି ଓ ପତ୍ନୀ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଅଚାନକ ମହିଳାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କ ଦେହରେ ସେହି ମହିଳାଙ୍କର ଭୂତ ଲାଗିଥିବା ନେଇ, ପରିବାର ଲୋକେ ବିଶ୍ୱାସ କରିଥିଲେ। ଗୁଣିଆକୁ ଡାକି ଭୂତ ଛଡାଯାଇଛି। ଗୁଣିଆ ଜଣକ ନିସ୍ତୁକମାଡ଼ ମାରିବା ସହ ମୁହଁରେ ନିଆଁର ଝାସ ଦେଇଥିଲେ।

ଯାହାଫଳରେ ମହିଳାଙ୍କର ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଥିବା ଅଭିଯୋଗ ହୋଇଛି। କିଛି ସୁଫଳ ନମିଳିବାରୁ ଗୁଣିଆ ସେ ସ୍ଥାନରୁ ଛାଡ଼ି ପଳାଇଥିଲା। ସ୍ଥାନୀୟ ଅଞ୍ଚଳର ଆଶା ଦିଦି, ଅଙ୍ଗନବାଡ଼ି ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀ ଏହି ଘଟଣା ଜାଣିବା ପରେ ମହିଳାଙ୍କ ନିକଟକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ।

Leave A Reply

Your email address will not be published.