୩୦,୦୦୦ରୁ କମ୍ ଦାମ୍ରେ ଇ-ସାଇକେଲ ଲଞ୍ଚ୍ କଲା ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ, ଥରେ ଚାର୍ଜ ହେଲେ ଚାଲିବ ୩୫ କିଲୋମିଟର
ଭାରତର ସ୍ୱଦେଶୀ ଷ୍ଟାର୍ଟଅପ୍ କମ୍ପାନୀ ଆଲଫାଭେକ୍ଟର(AlphaVector) ନିଜର ପ୍ରଥମ ଇ-ସାଇକେଲ ମେରକି(Meraki)କୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି। କମ୍ପାନୀ ଏହି ଇ-ସାଇକେଲର ଦାମ୍ ରଖିଛି ୨୯,୯୯୯ ଟଙ୍କା। ଖାସ୍ କଥା ହେଉଛି ଏହି ସାଇକେଲ ଚଲାଇବା ପାଇଁ ଆପଣଙ୍କୁ କୌଣସି ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରିବାକୁ ପଡ଼ିବ ନାହିଁ।
ମେରକିରେ ୨୫୦ ଓ୍ଵାଟ୍ର IP65 BLDC ମିଟର ଲାଗିଛି, ଯାହା ଦ୍ୱାରା 25km/h ର ଟପ୍ ସ୍ପିଡ୍ ମିଳିଥାଏ। କମ୍ପାନୀ ଦାବି କରିଛି ଯେ ଏହାର 6.36 Ah କ୍ଷମତାଯୁକ୍ତ ଲିଥିୟମ୍-ଆୟନ୍ ବ୍ୟାଟେରୀକୁ ଫୁଲ ଚାର୍ଜ କରି ଆପଣ ୩୪ କିଲୋମିଟର ପର୍ଯ୍ୟନ୍ତ ଅବିରତ ଚଲାଇପାରିବେ। ଏହାର ବ୍ୟାଟେରୀର ଲାଇଫ୍ ୭୫୦ ଚାର୍ଜିଙ୍ଗ ସାଇକଲ୍ସ ବୋଲି କୁହାଯାଇଛି। ଏହି ସାଇକେଲ ଉପରେ କମ୍ପାନୀ ୧ ବର୍ଷର ଓ୍ଵାରେଣ୍ଟି ମଧ୍ୟ ଦେଉଛି।
ଆଲଫାଭେକ୍ଟର ଦାବି କରିଛି ଯେ ଏହି ସାଇକେଲର ବ୍ୟାଟେରୀକୁ ୨.୫ ଘଣ୍ଟାରେ ଫୁଲ ଚାର୍ଜ କରିହେବ। ଏହି ଇ-ସାଇକେଲରେ ଅଟୋମେଟିକ୍ ବ୍ରେକ୍ କଟ୍ଅଫ୍ ଟେକ୍ନିକ୍ ସହ ଇ-ବ୍ରେକିଂ ସିଷ୍ଟମ୍ ମଧ୍ୟ ବ୍ୟବହାର କରାଯାଇଛି। ସୂଚନା ଅନୁସାରେ ମେରକିକୁ ପ୍ରଥମରୁ ହିଁ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଚେନ୍ନାଇ, ପୁଣେ, ଅହମ୍ମଦାବାଦ ଭଳି ସହରରୁ ୧୦୦ରୁ ଊର୍ଦ୍ଧ୍ୱ ପ୍ରି-ବୁକିଂ ରେଜିଷ୍ଟ୍ରେସନ୍ ମିଳିସାରିଛି।