କୋରାପୁଟରେ ୬ ବର୍ଷର ଝିଅକୁ ହତ୍ୟା ମାମଲା: ହନୁମାନ ପଇସା ପାଇଁ ଗୁଣିଗାରେଡ଼ି କରି ଝିଅକୁ ବାପା ବଳି ଦେଇଥିବାର ଆସିଲା ଅଭିଯୋଗ

କୋରାପୁଟ(କେନ୍ୟୁଜ୍):  ଗୁଣି ଗାରେଡ଼ି ପାଇଁ ନିଜ ଝିଅକୁ ହତ୍ୟା କରିଛି ସୈତାନ ବାପା।  ନିଜ ୬ ବର୍ଷର କୁନି ଝିଅକୁ  ଦେଇଛି ବଳି।ଆଉ ଧରା ପଡିଯିବା ଭୟରେ ରଚିଲା ଝିଅ ନିଖୋଜର  ନାଟକ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକର ଟାଉପଦର ଗାଁରେ ।  ଝିଅକୁ  ହତ୍ୟା କରିଥିବା ବାପା ସ୍ବୀକାର କରିଥିଲେ ବି ବଳି କଥାକୁ ମାନୁନି। ପଟ୍ଟାଙ୍ଗି ପୋଲିସ ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ନିଜ ଝିଅକୁ ହତ୍ୟା କରି ନିଖୋଜ ଅଭିଯୋଗ ଆଣିଥିବା ସଇତାନ ବାପା ବାଙ୍ଗୁରୁ ପାଙ୍ଗୀ ଓ ତାର ସହଯୋଗୀ ଶ୍ୟାମ ସୁନ୍ଦର ବିଶ୍ବାଳକୁ ଶେଷରେ ବାନ୍ଧିଛି । ଗତ ୨୧ ତାରିଖ ଦିନ ନିଜ ୬ବର୍ଷର ଝିଅ ନିଶାରାଣୀ ନିଖୋଜ ହୋଇଯାଇଥିବା ଦର୍ଶାଇ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗୀ ପଟ୍ଟାଙ୍ଗି ଥାନାରେ ୨୪ ତାରିଖ ଦିନ ଅଭିଯୋଗ କରିଥିଲା। ଘଟଣାକୁ ଗମ୍ଭୀର ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ହେଲେ ଅଭିଯୋଗକାରୀ ବାପା ତଦନ୍ତ ସମୟରେ ଦେଉଥିବା ବୟାନରେ ପୋଲିସକୁ ସନ୍ଦେହ ହୋଇଥିଲା।ଆଉ ଶେଷରେ ନିଜର ସମସ୍ତ ଦୋଷ ମାନିଥିଲା ଏହି ସଇତାନ ବାପା।ଝିଅ ପାଠ ନପଢିବାରୁ ତାର କାନ ମୁଣ୍ଡରେ ଶକ୍ତ ଚାପୁଡ଼ା ମାରିଥିଲା। ଆଉ ଏଥିରେ ଝିଅର ମୃତ୍ୟୁ ହେବାରୁ ଭୟରେ ନିଜ ସହଯୋଗୀ ଶ୍ୟାମ ସୁନ୍ଦର ସହ ମିଶି ଭୈରବ ମନ୍ଦିର ନିକଟରେ ବସ୍ତାରେ ଭର୍ତ୍ତି ଝିଅର ଶବକୁ ପୋତିଥିବା  ସ୍ବୀକାର କରିଥିଲା।ପୋଲିସ ମୃତ ଦେହକୁ ମାଟିରୁ ବାହାର କରି ଶବ ବ୍ୟବଛେଦ ପାଇଁ ପଠାଇଛି।

ଏହି ଘଟଣାଟି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ବାଙ୍ଗୁରୁ ଝିଅ ପାଠ ନ ପଢିବା ନେଇ ନୁହଁ ବରଂ ଗୁଣି କରି ନିଜ ଝିଅକୁ ବଳି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏପରିକି ଏଥିରେ ବାଙ୍ଗୁରୁର ସ୍ତ୍ରୀ ବି ସହାୟତା କରିଥିବା ଅଭିଯୋଗ ଆଣିଛନ୍ତି।ବାଙ୍ଗୁରୁ କିଛି ଦିନ ହେଲା ଅଧିକ ଟଙ୍କା ପାଇବା ଆଶାରେ ପୁରୁଣା ହନୁମାନ ପଇସା ଖୋଜୁଥିଲା। ଧନି ହେବା ଆଶା ଧନ ସନ୍ଧାନରେ ସେ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଉ ଏସବୁକୁ ବଳ ଦେଉଛି ଭେରବୀ ମନ୍ଦିର ନିକଟରୁ ମାଟି ତଳୁ ଶବ ଉଦ୍ଧାର ହେବା।ଝିଅର  ମୁଣ୍ଡରେ ସିନ୍ଦୁର ଚିହ୍ନ ଲାଗିଥିବାରୁ ମନ୍ଦିର ରେ ପୁଜାକରି ବଳି ଦେବା ଉଦେଶ୍ୟରେ ହତ୍ୟା କରି  ପରେ ସେହି ମନ୍ଦିର ନିକଟରେ ପୋତା ଯାଇଥିବା ଅଭିଯୋଗ ହେଉଛି। ସେପଟେ ଶବ ବ୍ୟବଛେଦ ରିପୋର୍ଟ  ଆସିବାପରେ ହିଁ ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

 

Leave A Reply

Your email address will not be published.