ଦର ଦୌଡରେ ହାରିଗଲା ପେଟ୍ରୋଲ୍, ଜିତିଗଲା ଡିଜେଲ୍

ଭୁବନେଶ୍ବର : ଇତିହାସରେ ପ୍ରଥମ । ସର୍ବକାଳୀନ ରେକର୍ଡ କରିଛି ଡିଜେଲ ଦର। ପେଟ୍ରୋଲ ଦରକୁ ଟପିଛି ଡିଜେଲ । ଭୁବନେଶ୍ୱର ଆଜିର ପେଟ୍ରୋଲ ୮୦ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ ଦର ରହିଛି ୮୦ ଟଙ୍କା ୭୮ ପଇସା । ଚଳିତ ମାସ ୧୬ ତାରିଖରେ ରେକର୍ଡ ସ୍ତରରେ ପହଂଚିଥିଲା ତେଲ ଦର । ପେଟ୍ରୋଲ ଦର ଲିଟର ପିଛା ୮୧. ୬୫ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଥିଲା ୮୧ ଟଙ୍କା ୨୩ ଟଙ୍କା । ତେବେ ଗତ ୧୮ ତାରିଖରୁ କମିବାରେ ଲାଗିଛି ତେଲ ଦର ।

ଏହାକୁ ନେଇ ପୁଣିଥରେ ତେଲ ରାଜନୀତି ଜୋର ଧରିଛି । ଡିଜେଲର ଦର ଅହେତୁକ ବୃଦ୍ଧିକୁ ନେଇ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛି ରାଜ୍ୟ ସରକାର । ତୈଳ ଦରବୃଦ୍ଧି କରି କେନ୍ଦ୍ର ନିର୍ବାଚନ ପାଇଁ ପାଣ୍ଠି ଆଦାୟ କରୁଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ଅର୍ଥୀମନ୍ତ୍ରୀ ଶଶୀଭୂଷଣ ବେହେରା ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ତୈଳ ଦର ନିତି ନଥିବା ଯୋଗୁଁ ଡିଜେଲର ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ଯାଏଁ ହନ୍ତସନ୍ତ ହେବେ ବୋଲି ଶଶୀଭୂଷଣ କହିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେପି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅଢେଇ ଟଙ୍କା କମାଇବା ପରେ ରାଜ୍ୟଗୁଡିକୁ ସମପରିମାଣରେ ଦର କମାଇବା ପାଇଁ ଅନୁରୋଧ କରିଥିଲେ। ସେବେଠାରୁ ଅର୍ଥମନ୍ତ୍ରୀ କହୁଛନ୍ତି, ଏହା ଉପରେ ଆମେ ଅନୁଧ୍ୟାନ କରୁଛୁ। ଭାଟ୍‌ କମାଇବା ପରିବର୍ତ୍ତେ ଏଭଳି ବୟାନ ଦେବାର ତାଙ୍କର ନୈତିକତା ନାହିଁ ବୋଲି ବିଜେପି କହିଛି।

Leave A Reply

Your email address will not be published.