କଙ୍ଗନା ରାଣାଓ୍ଵତ୍ଙ୍କ ଉପରେ Twitter ନେଲା କଡ଼ା କାର୍ଯ୍ୟାନୁଷ୍ଠାନ, ଡିଲେଟ୍ କଲା ଅନେକ ‘ଆପତ୍ତିଜନକ’ ଟ୍ଵିଟ୍
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ନିକଟରେ ରିହାନା, କୃଷକ ଆନ୍ଦୋଳନର ସମର୍ଥନରେ ଟ୍ଵିଟ୍ କରିବା ପରେ କଙ୍ଗନା ଏହି ସମର୍ଥକମାନଙ୍କ ବିରୋଧରେ ଲଗାତାର ଟ୍ଵିଟ୍ କରି ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ କଙ୍ଗନାଙ୍କର କିଛି ଟ୍ଵିଟ୍କୁ ଟ୍ଵିଟରରୁ ହଟାଇ ଦିଆଯାଇଛି। ଏ ବାବଦରେ ଟ୍ଵିଟର ପ୍ରବକ୍ତା କହିଛନ୍ତି, କଙ୍ଗନାଙ୍କର ସେହି ଟ୍ଵିଟ୍ରେ ଟ୍ଵିଟର ନିୟମ ଉଲ୍ଲଂଘନ ହୋଇଛି।
ଏବେ କଙ୍ଗନାଙ୍କର ବିବାଦୀୟ ଟ୍ଵିଟ୍ଗୁଡ଼ିକ ତାଙ୍କ ହ୍ୟାଣ୍ଡେଲରେ ଦେଖାଯାଉନାହିଁ। ସେଥିମଧ୍ୟରେ ରୋହିତ ଶର୍ମା ଓ ଅନ୍ୟ କ୍ରିକେଟରଙ୍କ ବିଷୟରେ କଙ୍ଗନା ଯେଉଁ ବିବାଦୀୟ ଟ୍ଵିଟ୍ ଲେଖିଥିଲେ, ତାହା ବି ସାମିଲ ଅଛି। ଏଥିରେ ସେ କ୍ରିକେଟରମାନଙ୍କର ତୁଳନା ‘ଧୋବାର କୁକୁର’ ସହିତ କରିଥିଲେ।
କହି ରଖୁଛୁ, କଙ୍ଗନାଙ୍କ ଟିମ୍ ଯେଉଁ ଆକାଉଣ୍ଟକୁ ପୂର୍ବରୁ ସମ୍ଭାଳୁଥିଲା, ସେହି ଆକାଉଣ୍ଟକୁ ଅଗଷ୍ଟରୁ କଙ୍ଗନା ନିଜେ ହିଁ ସମ୍ଭାଳୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ ନିଜ ବିରୋଧୀମାନଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିବାରୁ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ହେବ ସେ କୃଷକ ଆନ୍ଦୋଳନ ବିରୋଧରେ ମଧ୍ୟ ଟ୍ଵିଟ୍ କରି ଆସୁଛନ୍ତି। ରିହାନାଙ୍କ ଉପରେ ଭଡ଼କିଥିବା କଙ୍ଗନା ଏମିତି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜେ ହିଁ ଟ୍ରୋଲର ଶିକାର ହୋଇଛନ୍ତି।