କଳାହାଣ୍ଡି(କେ ନ୍ୟୁଜ): ପୁଣି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ଶବ । ଶୋକାକୁଳ ପରିବେଶ ମଧ୍ୟରେ ହେଲା ଦୁହିଁଙ୍କ ଅନ୍ତିମ ସଂସ୍କାର। ଗୋଟିଏ ଜୁଇରେ ଜଳିଲା ଦୁଇଟି ଶବ। ଏଭଳି ଏକ ଦୁଖଦପୁର୍ଣ୍ଣ ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେରଗୁନି ପଡାର ଦୁଇ ଜଣ ଆଦିବାସୀ ଅବିବାହିତ ଯୁବକ ୨୩ ବର୍ଷୀୟ ମନୋହର ମାଝୀ ଓ ୨୦ ବର୍ଷୀୟ ଉପେନ୍ଦ୍ର ମାଝୀ ଉଭୟେ ଆନ୍ଧ୍ର ପ୍ରଦେଶ ହାଇଦ୍ରାବାଦର କୁମ୍ପୁଲିରେ ଥିବା ଫେଆର୍ ଫିଲ୍ଡ ନାମକ ଏକ ଘରୋଇ କନଷ୍ଟ୍ରକସନ୍ କମ୍ପାନୀରେ କାମ କରି ଆସୁଥିଲେ । ହଠାତ କାର୍ଯ୍ୟସ୍ଥଳରେ ଘଟିଗଲା ଅଘଟଣ ।
ଦୁହିଁଙ୍କ ଉପରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲି । ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଗାଁକୁ ଶବ ଆସିବା ପରେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ଗାଁ ଶ୍ମଶାନରେ ଦୁହିଁଙ୍କ ଅନ୍ତିମ ସଂସ୍କାର କରାଯାଇଛି।