ମାନବସେବା ହିଁ ମାଧବ ସେବା। ଏହାର ପ୍ରକୃତ ଉଦାହରଣ ପାଲଟିଛନ୍ତି ହେତୁବାଦ ଓ ମାନବବାଦ ସଂଗଠନ। ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ପରେ ସାଉଁଟିଛନ୍ତି ଅନେକ ପ୍ରଶଂସା।
ଗତକାଲି ମହାଶିବରାତ୍ରୀ ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ଭକ୍ତ ଜାଗର ଜାଳିବା ସହ ଶିବ ମନ୍ଦିରରେ ଯାଇ ଭୋଳାନାଥଙ୍କ ଉପରେ କ୍ଷୀର ଢ଼ାଳି ପୂଜା ଅର୍ଚ୍ଚନା କରିଥିଲେ। ଏହି ସମୟରେ ମାନବବାଦ ଓ ହେତୁବାଦ ସଗଂଠନର କିଛି ସଦସ୍ୟ ଭଗବାନଙ୍କ ଉପରେ କ୍ଷୀର ନଢ଼ାଳି ଅସହାୟ ଓ ଗରିବ ଲୋକଙ୍କୁ କ୍ଷୀର ବଣ୍ଟନ କରିଥିଲେ। ଭୋକରେ ରହୁଥିବା ଏହି ଲୋକମାନଙ୍କ ପାଇଁ ଦେବଦୂତ ସାଜି ଆଗେଇ ଆସିଥିଲେ ସଗଂଠନର କିଛି ସଦସ୍ୟ। ଖାଦ୍ୟ ବଣ୍ଟନ କରିବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମାଲକାନଗିରି ଜିଲ୍ଲାର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୧୦୦ଲିଟରରୁ ଅଧିକ କ୍ଷୀର ରୋଗୀମାନଙ୍କୁ ବଣ୍ଟନ କରାଯାଇଛି।
ସଂଗଠନର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଅସହାୟ ଓ ଦୁଃଖୀଙ୍କୁ ସାହାଯ୍ୟ କରିବା ହିଁ ପ୍ରକୃତ ସେବା ଓ ଧର୍ମ ବୋଲି ମାନବବାଦ ଓ ହେତୁବାଦ ସଂଗଠନ ପକ୍ଷରୁ କୁହାଯାଇଛି।