ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡ଼ି ପରିସ୍ଥିତି , ଗ୍ରାଉଣ୍ଡ ଜିରୋରେ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ

ଭୁବନେଶ୍ବର : ରାଜ୍ୟରେ ଏକସଙ୍ଗେ ବାତ୍ୟା, ବନ୍ୟା ଓ ମରୁଡ଼ି । ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତଲି ପାଇଁ ଚାଷ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା ଅଭାବରୁ ଉଜୁଡ଼ି ଯାଇଛି ଚାଷ । ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ୭ ଜଣିଆ କେନ୍ଦ୍ରୀୟ ଟିମ ଓଡ଼ିଶା ଆସିଛନ୍ତି । ଆଜି ଦୁଇଟି ଦଳରେ ଭାଗ ହୋଇ ପାତ୍ରପୁର ଓ ଆସିକା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରଭାବିତ ଅଞ୍ଚଳର ଲୋକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଗଂଜାମ ପରେ ତିତଲିରେ ସବୁଠୁ ଅଧିକ ପ୍ରଭାବିତ ଗଜପତି ଜିଲ୍ଲାରେ ଆସନ୍ତାକାଲି ସ୍ଥିତି ଅନୁଧ୍ୟାନ କରିବ ଯିବେ କେନ୍ଦ୍ରୀୟ ଟିମ୍‌।

ସେଠାରୁ ଫେରିବା ପରେ ସଚିବାଳୟରେ ରାଜ୍ୟ ସରକାରଙ୍କ ସହ କ୍ଷୟକ୍ଷତି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ। ଏହାପୂର୍ବରୁ ତିତଲିରେ ୨ହଜାର ୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରିପୋର୍ଟ ଦିଆଯାଇଛି। କ୍ଷୟକ୍ଷତି ବାବଦରେ ମଧ୍ୟବର୍ତ୍ତୀକାଳୀନ ହଜାରେ କୋଟି ଟଙ୍କାର ସହାୟତା ଦେବା ପାଇଁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ତିତଲି ଓ ବନ୍ୟା ଯୋଗୁଁ ପ୍ରଭାବିତ ଜିଲ୍ଲାଗୁଡିକରେ ୨.୭୩ ଲକ୍ଷ ହେକ୍ଟର ଜମିର ଚାଷ ଉଜୁଡ଼ି ଯାଇଛି । ଏପଟେ କମ ବର୍ଷା ଯୋଗୁଁ ୯ଟି ଜିଲ୍ଲାର ୬୬ଟି ବ୍ଲକରେ ମରୁଡ଼ି । ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ମରୁଡି ପ୍ରଭାବିତ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମ୍ପୃକ୍ତ ଜିଲ୍ଲାର ୫ ହଜାର ୬ଶହ ୩୩ଟି ଗାଁର ୨ଲକ୍ଷ ୩୩ହଜାର ୧୭୩ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି ।

ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏବେ ମରୁଡି ପ୍ରଭାବିତ ଅଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.