ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍ : ପ୍ରଥମ ଦିନରେ ଅନୁରାଗଙ୍କ ଶତକ ହିଁ ଥିଲା ଏକମାତ୍ର ଆକର୍ଷଣ

ଭୁବନେଶ୍ବର (କେନ୍ୟୁଜ୍) : ଅନୁରାଗ ଷଡ଼ଙ୍ଗୀଙ୍କ ପ୍ରଥମ ରଣଜୀ ଶତକ ବଳରେ କିଟ୍ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚରେ ହରିଆଣା ବିପକ୍ଷରେ ଓଡ଼ିଶା କରିଛି ୬ ୱିକେଟରେ ୨୩୦ ରନ୍ । ପ୍ରଥମ ଦିନର ଖେଳ ଶେଷ ବେଳକୁ ଶାନ୍ତନୁ ମିଶ୍ର ୩୦ ରନ୍ ଏବଂ ଦେବବ୍ରତ ପ୍ରଧାନ ୭ କରି ଅପରାଜିତ ଥିଲେ ।

ଏହି ଚାରି ଦିନିଆ ମ୍ୟାଚରେ ଆଜି ଓଡ଼ିଶା ଦଳର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପ୍ନର ସନ୍ଦୀପ ପଟ୍ଟନାୟକ ୨୦ ରନ୍ କରି ଆଉଟ୍ ହେବା ବେଳକୁ ଦଳର ସ୍କୋର ଥିଲା ୬୩ ରନ୍ । ଏହା ପରେ ଅନ୍ୟ ସାଥୀମାନଙ୍କ ସ୍ବଳ୍ପ ସହଯୋଗରେ ପାଳିକୁ ଆଗକୁ ବଢ଼ାଇଥିଲେ ଅନୁରାଗ । ଏହି ବାମହାତୀ ବ୍ୟାଟସମ୍ୟାନ୍ ୧୯୦ ବଲ୍ ଖେଳି ୧୭ଟି ଚୌକା ଓ ୨ଟି ଛକା ସହାୟତାରେ ୧୧୪ ରନ୍ କରିଥିଲେ । ସେ ଆଉଟ୍ ହେବା ପରେ ଶାନ୍ତନୁ ଓ ୱିକେଟ କିପର ସୁଜିତ ଲେଙ୍କା ଷଷ୍ଠ ୱିକେଟରେ ୪୫ ରନ୍ ଯୋଡ଼ିଥିଲେ ।

ANURAG SADANGI

ଅନୁରାଗଙ୍କ ବ୍ୟତୀତ ହରିଆଣା ବୋଲରଙ୍କୁ କେବଳ ଶାନ୍ତନୁ ହିଁ ମୁକାବିଲା କରିବାର ସାମର୍ଥ୍ୟ ଦେଖାଇଛନ୍ତି । ଶେଷ ଭାଗରେ ଯଦି ଭଲ ସହଯୋଗ ସେ ପାଆନ୍ତି ତେବେ ହୁଏତ ଓଡ଼ିଶା ଏକ ବଡ଼ ସ୍କୋର କରି ପାରିବ । ସେପଟେ ହରିଆଣା ପକ୍ଷରୁ ମୋହିତ ଶର୍ମା ଏବଂ ହର୍ଷ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

ଏହି ମ୍ୟାଚରେ ମୋଟ ୪ ଜଣ ଖେଳାଳି ପଦାର୍ପଣ କରିଛନ୍ତି । ନିଜର ପ୍ରଥମ ରଣଜୀ ମ୍ୟାଚ୍ ଖେଳୁଛନ୍ତି ଚର୍ଚ୍ଚାରେ ଥିବା ଓଡ଼ିଶାର ସ୍ପିନର ପପୁ ରାୟ, ବୋଲର ଦେବବ୍ରତ ପ୍ରଧାନ ଏବଂ ରାଜେଶ ମହାନ୍ତି । ସେହିପରି ହରିଆଣା ପକ୍ଷରୁ ରଣଜୀ ଜୀବନ ଆରମ୍ଭ କରିଛନ୍ତି ବାମହାତୀ ସ୍ପିନର ଟିନୁ କୁଂଡୁ ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍ : ପ୍ରଥମ ଦିନ -୨୩୨/୬, ୯୦ ଓଭର (ଅନୁରାଗ ଷଡ଼ଙ୍ଗୀ ୧୧୪, ସନ୍ଦୀପ ପଟ୍ଟନାୟକ ୨୦, ଗୋବିନ୍ଦ ପୋଦ୍ଦାର ୧୪, ଶୁଭ୍ରାଂଶୁ ସେନାପତି ୧୧, ବିପ୍ଳବ ସାମନ୍ତରାୟ ୯, ଶାନ୍ତନୁ ମିଶ୍ର ଅପରାଜିତ ୩୦, ସୁଜିତ ଲେଙ୍କା ୧୩, ଦେବବ୍ରତ ପ୍ରଧାନ ଅପରାଜିତ ୭ । ମୋହିତ ଶର୍ମା ୧୫-୪-୩୮-୨, ହର୍ଷ ପଟେଲ ୨୦-୩-୫୮-୨, ଟିନୁ କୁଂଡୁ ୧୭-୮-୩୦-୧) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.