ଗରମ ଦିନରେ ପ୍ରଚୁର ପରିମାଣରେ କଞ୍ଚା ଆମ୍ବ ମିଳେ । ଆମ ମଧ୍ୟରୁ ଅନେକେ ଆମ୍ବ ଆଚାର, ଆମ୍ବ ଖଟା, ଆମ୍ବ ଜେଲି ଆଦି କରି ଖାଇବାକୁ ପସନ୍ଦ କରନ୍ତି । ଏହାବାଦ କିଛି ଜଣ ଆମ୍ବ ପଣା କରି ପିଇବା ସହ ବର୍ଷ ଯାକ ପାଇଁ ଆଚାର କରି ରଖି ଦିଅନ୍ତି । ପାଚିଲା ଆମ୍ବକୁ ଏମିତି ଖାଇଦେବା ସହ ଜୁସ କରି ସ୍ୱାଦର ଭରପୁର ମଜା ନିଅନ୍ତି । କିନ୍ତୁ ଜାଣନ୍ତିକି ଏହି ଆମ୍ବରେ ବି ଆପଣ ସ୍ୱାଦିଷ୍ଟ ତରକାରୀ ପ୍ରସ୍ତୁତ କରି ଖାଇପାରିବେ । ଆଉ ଏହି ଆମ୍ବ ତରକାରୀର ବି ଏକ ଭିନ୍ନ ସ୍ୱାଦ ରହିଛି । ତେବେ ଆଉ ଡେରି କାଇଁ କରିବା ଏହି ରେସିପି ବିଷୟରେ ଜାଣି ରଖିବା ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
କଞ୍ଚା ଆମ୍ବ- ଗୋଟେ
ଗୁଡ- ଅଧା କପ
ଜିରା- ଅଧା ଚାମଚ
ଲଙ୍କା ଗୁଣ୍ଡ- 5 ରୁ 6ଟି
ରାଶି- ଅଧା ଚାମଚ
ଭୃଷୁଙ୍ଗ ପତ୍ର- 8 ରୁ 10ଟି
ନଡ଼ିଆ- ଅଧା କପ କୋରା ଯାଇଥିବା
ଧନିଆ ପତ୍ର- 4 ରୁ 5 ଟି
ହେଙ୍ଗୁ- ଗୋଟେ ଚୁଟକୀ
ଲୁଣ – ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
କଞ୍ଚା ଆମ୍ବ ତରକାରୀ ବନେଇବା ପାଇଁ ସର୍ବ ପ୍ରଥମେ ଆମ୍ବରୁ ଚୋପା ଛଡାଇ ତାହାର ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏବେ ଏକ ପତ୍ରରେ ପାଣି ନିଅନ୍ତୁ ଆଉ ସେଥିରେ କଟା ଯାଇଥିବା ଆମ୍ବ ଖଣ୍ଡକୁ ଦେଇ ସିଝାଇ ଦିଅନ୍ତୁ । ଏବେ ଆଉ ଏକ ପାତ୍ରରେ ଅଳ୍ପ ପାଣି ନେଇ ସେଥିରେ କିଛି ଗୁଡ ଖଣ୍ଡ ଦେଇ ଏକ ସିରା ପ୍ରସ୍ତୁତ କରନ୍ତୁ । ଏବେ ସିଝା ଯାଇଥିବା ଆମ୍ବକୁ ଗ୍ରାଇଣ୍ଡ କରି ନିଅନ୍ତୁ । ଏଥିରେ ଫ୍ରାଏ ହୋଇଥିବା ଲଙ୍କା, କିଛି ଲଙ୍କା ଗୁଣ୍ଡ, ନଡ଼ିଆ ଆଦି ଦେଇ ଭଲ ଭାବରେ ପେଷି ଦିଅନ୍ତୁ ।
ଏତିକି କରିବା ପରେ ଚୁଲାରେ ଏକ କଡେଇ ବସାନ୍ତୁ । ଅଳ୍ପ ତେଲ ଗରମ କରନ୍ତୁ । ତେଲ ଗରମ ହେଇ ଆସିଲେ ରାଶି, ଭୃଷୁଙ୍ଗ ପତ୍ର ଆଦି ଦେଇ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ଏଥିରେ ଗୁଡ ପାଣି ଦେଇ ଆମ୍ବ ପେଷ୍ଟକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଗୋଟେ କପ ପାଣି ଓ ଲୁଣ ଦିଅନ୍ତୁ । ଏବେ ଆପଣଙ୍କର ଆମ୍ବ ତରକାରୀ ପ୍ରସ୍ତୁତ ହୋଇଗଲା । ଏବେ ତରକାରୀ ଉପରେ ଧନିଆ ପତ୍ର ଦେଇ ସମସ୍ତଙ୍କ ପାଇଁ ପରଷି ଦିଅନ୍ତୁ ।