ଭୁବନେଶ୍ୱର (କେନ୍ୟୁଜ୍) : ଲକଡାଉନରେ ଦୋକାନ ଖୋଲି ପୋଲିସ୍ ଠାରୁ ଗୋଇଠା ମାଡ଼ ଖାଇଲେ ନାବାଳକ । ଗୋଟାଏ ପରେ ଗୋଟାଏ ଗୋଇଠା ମାରି ଚାଲିଲେ ପୋଲିସ୍ ବାବୁ । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର କେସୁରା ଅଞ୍ଚଳରେ ଓମଫେଡ଼ ବୁଥ ଖୋଲିଥିଲା ନବମ ଶ୍ରେଣୀର ଛାତ୍ରଟିଏ । ପୋଲିସ୍ ଅଧିକାରୀ ଜଣକ ତାକୁ ଏଥିପାଇଁ ତାଗିଦ କରିବା ପରେ ମାଡ଼ ମାରିଛନ୍ତି । ଛୋଟ ପିଲାଟିକୁ ନିଜ ବଳ ଅନୁସାରେ ଗୋଇଠା କଷି ଦେଇଛନ୍ତି । ପୋଲିସ୍ର ଏଭଳି ଅମାନୁଷିକ ଚିତ୍ର ସିସିଟିଭିରେ କଏଦ ହେବା ପରେ ବାହାରକୁ ଆସିଛି। ଯାହାକୁ ଚାରିଆଡ଼େ ନିନ୍ଦା କରାଯାଇଛି ।
ଘଟଣା ଘଟିଛି ଗତ ୨୯ ତାରିଖ ଦିନ। ପୋଲିସ ଆକ୍ରମଣରେ ନାବାଳକଟି ଆହତ ହୋଇଛି। ଆହତ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି ୨୯ ନମ୍ବର ପିସିଆରରେ ଆସିଥି ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏଭଳି କାଣ୍ଡ କରିଛନ୍ତି ।
ତେବେ ଏଯାଏଁ ଦୋକାନୀଙ୍କ ପକ୍ଷରୁ ସଂପୃକ୍ତ ପିସିଆର କିମ୍ବା ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ । ତେବେ ଏ ସମ୍ପର୍କରେ ପୋଲିସ୍ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂପୃକ୍ତ ପିସିଆର କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।