ଆନନ୍ଦପୁର(କେନ୍ଯୁଜ୍): ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ନିମନ୍ତେ ସରକାର କରିଛନ୍ତି କଠୋର ନିୟମ । ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣକୁ ଆଖି ଆଗରେ ରଖି ଏହି ନିୟମ କରାଯାଇଥିବା ବେଳେ କିଛି ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ନିୟମକୁ ଫୁ କରିଦେଉଛନ୍ତି ମାଫିଆ। ଅଧିକାରୀ ଓ ମାଫିଆ ମାନଙ୍କ ମଧୁଚନ୍ଦ୍ରିକାରେ ଦିନରାତି ଲୁଟ ହେଉଛି ଚୋରା ମୋରମ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ କିଭଳି ଖୁଲମଖୁଲା ଚାଲିଛି ମୋରମ ଲୁଟ୍ ।
ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅନ୍ତର୍ଗତ ଝାଡକୁଣ୍ଡି ଗାଁ ରେ ଅବସ୍ଥିତି ଜୈନେକ ରାଇସମିଲ ମାଲିକ ଲଗାତର ଭାବେ ନିଜ ରାଇସମିଲ୍ କୁ ମୋରମ ବୋହୁଥିବା ଅଭିଯୋଗ ହେବା ପରେ ଏପ୍ରିଲ ମାସ ୫ତାରିଖରେ ଓ ଏପ୍ରିଲ ମାସ ୭ ତାରିଖରେ ଦୁଇଟି ରସିଦରେ ତାଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା। ଯଦି ଏହି ରସିଦକୁ ଦେଖିବା ତେବେ ୦୫ ଏପ୍ରିଲ ରେ କଟାଯାଇଥିବା ରସିଦର ସିରିଏଲ ନମ୍ବର୦୨୫୭୯୫୧ ହୋଇଥିବା ବେଳେ, ୦୭ଏପ୍ରିଲ ରେ କଟା ଯାଇଥିବା ରସିଦର ନମ୍ବର ୦୨୫୭୮୬୯ ଅଛି।
ଯାହାକୁ ଦେଖିଲେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ଯଶୈଳୀ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ। ଗୋଟିଏ ରସିଦ ବହିରେ ନିୟମ ଅନୁଯାୟୀ ୫୦ ଟି ରସିଦ ଥିବା ବେଳେ ଦୁଇ ଦିନରେ ତିନୋଟି ବହିର ବ୍ଯବହାର ଏବଂ ୦୫ ତାରିଖରେ କଟା ଯାଇଥିବା ରସିଦ, ୦୭ ତାରିଖ ରସିଦର ୮୧ ଟି ସିରିଏଲ ପରେ କିପରି ସମ୍ଭବ ତାହା ଚର୍ଚ୍ଚାର ବିଷୟ। ଏସବୁ ପରେ ମଧ୍ୟ ସମ୍ପୃକ୍ତ ରାଇସ ମିଲ ମାଲିକ ରାତିଅଧିଆ ଅଦ୍ୟାବଧି ମୋରମ ଚୋରା ଚାଲାଣ କରୁଥିବା ବେଳେ ଘଷିପୁରା ପୋଲିସ ରାତିଅଧିଆ ଚଢଉ କରି ତିନୋଟି ଟ୍ରାକ୍ଟର ଜବତ କରିଛି।
ଆନନ୍ଦପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଅନେକ ପୂର୍ବରୁ ଲଘୁ ଖଣିଜ ପଦାର୍ଥ ବେନିୟମ ଉତ୍ତୋଳନର ଅନେକ ନଜିର ଥିବା ବେଳେ, ଏସମ୍ପର୍କରେ ଅନେକ ଥର NGT ରେ ଅଭିଯୋଗ ମଧ୍ୟ ହୋଇଛି। ଗୋଟିଏ ପଟେ ମାଫିଆ ମାନେ ବାରମ୍ବାର ଜୋରିମାନା ଦେଇ ରାତିଅଧିଆ ମୋରମ ଲୁଟରେ ବ୍ଯସ୍ତ ଥିବାବେଳେ ଅନ୍ଯପଟେ, ବିଭାଗୀୟ ଅଧିକାରୀ ହାତଗୁଞ୍ଜା ନେଇ ନିରବ ଦ୍ରଷ୍ଟା ସାଜିଛନ୍ତି। ସରକାରଙ୍କ ଆଦେଶ ପରେ ଅନେକ ମୋରମ ଖାଦାନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିବା ବେଳେ ତହସିଲରୁ ଜୋରିମାନା ରସିଦ କାଟିଦେଇ ମାଫିଆ ମାନେ ମନ ଇଚ୍ଛା ମୋରମ ଲୁଟୁ ଥିବା ଦେଖିବାକୁ ମିଳିଛି। ଅନ୍ଯପଟେ ଏ ସମ୍ପର୍କରେ ତହସିଲଦାର ଓ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ସଫେଇ ଦେଇ କହିଛନ୍ତି ଯେ ରସିଦ ଠିକ ଅଛି।