ଫିଟୁଛି ବାବା ବିଜୟାନନ୍ଦ ଚୌଧୁରୀଙ୍କ କଳା ସାମ୍ରାଜ୍ୟର ଗୁମର: ବ୍ରହ୍ମପୁରର ଜଣେ ଠିକାଦାରଙ୍କୁ ଚୂନା ଲଗାଇଛନ୍ତି ୨୫ ଲକ୍ଷ

ବ୍ରହ୍ମପୁର(କେନ୍ଯୁଜ୍): ଫିଟୁଛି ବାବାଙ୍କ କଳା ସାମ୍ରାଜ୍ୟର ଗୁମର। ବ୍ରହ୍ମପୁରର ଜଣେ ଠିକାଦାରଙ୍କୁ ୨୫ ଲକ୍ଷ ଟଙ୍କା ଚୂନା ଲଗାଇଦେଇଛନ୍ତି ବାବା। ଟେଣ୍ଡର କରାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ ୨ଟି ପାନ୍ଥନିବାସ କାମ ନାଁରେ ୫କୋଟି ଟଙ୍କାର ଥୋପ ପକାଇ ବାବା ଠିକାଦାରଙ୍କୁ ୨୫ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ। ତାଙ୍କର ଦୁଇଟି ଆକାଉଣ୍ଟକୁ ଅଚଳ କରିଛି କ୍ରାଇମବ୍ରାଞ୍ଚ EOW ।

ଏହି ଦୁଇଟି ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଥିଲା । ବ୍ୟାଙ୍କ ଆକାଉଣ୍ଟରେ ଗତ ୨ ବର୍ଷରେ କୋଟି କୋଟି ଟଙ୍କାର ଅର୍ଥ ନେଣଦେଣ ହୋଇଥିବା ପ୍ରମାଣ ମିଳିଛି। ତାଙ୍କ ଆକାଉଣ୍ଟରୁ ପ୍ରାୟ ୧କୋଟି ୮୫ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯାଇଛି। ଓ଼ଟିଡିସି ବାଦ୍‌ ଅନ୍ୟ ଦପ୍ତରକୁ ଲମ୍ବିଛି ଠକେଇର ଚେର।

ଏପଟେ ବାବାଙ୍କ ମୋବାଇଲ ଫୋନ୍‌ ସହ କଲ ଡିଟେଲ୍‌ ରେକର୍ଡ ଯାଞ୍ଚରୁ EOW ଟିମ୍‌ କିଛି ଚାଞ୍ଚଲ୍ୟକର ତଥ୍ୟ ପାଇଛି। ମୋବାଇଲ କଣ୍ଟାକ୍ଟ ବକ୍ସରେ କିଛି ବଡ ଠିକାଦାରଙ୍କ ସହ ନେତା ଓ OTDCର କିଛି ଉଚ୍ଚପଦସ୍ତ ଅଧିକାରୀଙ୍କ ନାଁ ରହିଛି। ଧୂର୍ତ୍ତ ବିଜୟାନନ୍ଦ ଚୌଧୁରୀ ଲୋକଙ୍କୁ ଭୂଆଁ ବୁଲାଇବା ଲାଗି ସାଜିଥିଲା ବାବା । କେତେବେଳେ ଗେରୁଆ ବସ୍ତ୍ର ତ ଆଉ କେତେବେଳେ ଧଳାବସ୍ତ୍ର ପିନ୍ଧି ଠକୁଥିଲେ ଲୋକଙ୍କୁ ।ଦରକାର ପଡ଼ିଲେ ବିଜୟାନନ୍ଦକୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.