ବିବାହରେ ପହଞ୍ଚିଲେନି ଅତିଥି, ତ କନ୍ୟା ରାଗରେ ପଠାଇ ଦେଲା ହଜାର ହଜାର ଟଙ୍କାର ବିଲ୍!
ବିବାହରେ ବର-କନ୍ୟା ହୁଅନ୍ତୁ କି ସାଙ୍ଗସାଥୀ, ସମ୍ପର୍କୀୟ କିମ୍ବା ଅତିଥି, ସମସ୍ତେ ବେଶ୍ ଉତ୍ସାହିତ ଥାଆନ୍ତି। ସୋସିଆଲ ମିଡିଆରେ ବିବାହ ସହ ଜଡ଼ିତ ବିଭିନ୍ନ ଅଜବ ଖବର ଭାଇରାଲ ହେବାରେ ଲାଗିଥାଏ। ଅନେକ ବାର ବର-କନ୍ୟାଙ୍କ ସହ ମଜାଦାର ଘଟଣା ଘଟିଥାଏ ତ କେବେ ଅତିଥିମାନେ ଏମିତି କିଛି କରି ବସନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତି। ଏମିତି ହିଁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯେଉଁଠି ଅତିଥିମାନେ ନ ପହଞ୍ଚିବାରୁ କନ୍ୟା ବିବାହରେ ହୋଇଥିବା ସମସ୍ତ ଖର୍ଚ୍ଚର ବିଲ୍ ସେମାନଙ୍କ ପାଖକୁ ପଠାଇ ଦେଇଛନ୍ତି।
Redditରେ ଅନେକ ୟୁଜର ନିଜର ଫନି କଥା ସେୟାର କରିଥାଆନ୍ତି। ନିକଟରେ ଜଣେ ୟୁଜର ବହୁତ ଅଜବ ଘଟଣା ସେୟାର କରିଛନ୍ତି। କଥାଟି ହେଲା, ଏହି ୟୁଜରଙ୍କୁ କୌଣସି ଏକ ବିବାହର ନିମନ୍ତ୍ରଣ ମିଳିଥିଲା। କିନ୍ତୁ ସେ ସେଠାରେ ପହଞ୍ଚି ପାରି ନ ଥିଲେ। କିଛି ଦିନ ପରେ ତାଙ୍କ ପାଖକୁ ୧୭ ହଜାର ବିଲ୍ର ଇନ୍ଭଏସ୍ ଆସିଥିଲା, ଯାହାକୁ ସେଦିନର କନ୍ୟା ଜଣକ ପଠାଇଥିଲେ। ଏପଟେ ଇନ୍ଭଏସ୍ ଦେଖି ଅତିଥିଙ୍କ ହୋଶ୍ ଉଡ଼ି ଯାଇଥିଲା। କାହିଁକିନା, ସେ ଏମିତି କିଛି ଆଶା କରି ନ ଥିଲେ।
ତେବେ ଏହି ଇନ୍ଭଏସ୍ ସହିତ ଏକ ନୋଟ୍ ମଧ୍ୟ ଥିଲା, ଯେଉଁଥିରେ ଲେଖା ହୋଇଥିଲା କି, ‘ଆମେ ଆପଣଙ୍କୁ ନିମନ୍ତ୍ରଣ କରିଥିଲୁ, କିନ୍ତୁ ଆପଣ ନ ଆସିବା ନେଇ କୌଣସି ସୂଚନା ଦେଇ ନ ଥିଲେ, ଯେଉଁ କାରଣରୁ ଆମକୁ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ଏବେ ଆପଣଙ୍କୁ ଏହାର ଭରଣା କରିବାକୁ ହେବ’। ରିପୋର୍ଟରୁ ଜଣାପଡ଼ିଛି, ଏହି ବିବାହରେ ବର-କନ୍ୟା ପ୍ରତି ଦୁଇଜଣ ଅତିଥିଙ୍କ ପିଛା ପାଖାପାଖି ୧୭ ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କ ପାଇଁ ରିସେପ୍ସନ ଡିନରର ବ୍ୟବସ୍ଥା କରିଥିଲେ। କିନ୍ତୁ କିଛି ଅତିଥି ନ ଆସିବାରୁ କନ୍ୟାଙ୍କର ରାଗ ବଢ଼ି ଯାଇଥିଲା।