Below header

ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ମୃତ୍ୟୁମୁଖକୁ ଠେଲି ହୋଇଗଲେ ମାଲିକ, ବିଶ୍ୱସ୍ତ ପ୍ରାଣୀ ଆଜି ବି ଅପେକ୍ଷା କରି ରହିଛି ମାଲିକକୁ; ଜାଣନ୍ତୁ ପୂରା ଘଟଣା

ପୋଷା ଜୀବ ଓ ମାଲିକଙ୍କ ମଧ୍ୟରେ ସମ୍ପର୍କ ବହୁତ ଖାସ୍‌ ହୋଇଥାଏ। ଜଣେ ଜଣଙ୍କ ଖୁସି ପାଇଁ ନିଜ ଜୀବନ ସୁଦ୍ଧା ଦେଇ ଦେବାକୁ ପ୍ରସ୍ତୁତ ଥାଆନ୍ତି। ଆପଣ ଏ ପର୍ଯ୍ୟନ୍ତ ପୋଷା ଜୀବଙ୍କୁ ନିଜ ମାଲିକଙ୍କ ପାଇଁ ଜୀବନ ଦେଇଥିବାର ଦେଖିଥିବେ, କିନ୍ତୁ ଥାଇଲାଣ୍ଡରେ ଜଣେ କୁକୁର ମାଲିକ ନିଜ ପେଟ୍‌ର ଜୀବନ ବଞ୍ଚାଇବା ପାଇଁ ନିଜକୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି। ଏ କାହାଣୀ ହେଉଛି ଥାଇଲାଣ୍ଡର ୬୧ ବର୍ଷୀୟ ବୃଦ୍ଧ କ୍ଲିଙ୍ଗ୍‌ ଶ୍ରୀକାଉ ଓ ତାଙ୍କ ପୋଷା କୁକୁର ନୋଓ୍ଵାର। ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା, ପ୍ରେମ ଏତେ ଗଭୀର ଯେ ଯେତେବେଳେ ନୋଓ୍ଵାର ଜୀବନ ବିପଦରେ ପଡ଼ିଥିଲା, ତ ମାଲିକ ନିଜର ଚିନ୍ତା ନ କରି ଜୀବନ ସୁଦ୍ଧା ବାଜି ଲଗାଇବାକୁ ପଛାଇ ନ ଥିଲେ।

ଥାଇଲାଣ୍ଡର ନାଖୋନ୍‌ ରାଚ୍‌ସୀମା ଅଞ୍ଚଳରେ କ୍ଲିଙ୍ଗ୍‌ ଶ୍ରୀକାଉ ନିଜ ପୋଷା କୁକୁର ନୋଓ୍ଵା ସହିତ ରହୁଥିଲେ। ଏବେ ସେଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି, ତ ଏହାରି ଭିତରେ କ୍ଲିଙ୍ଗ୍‌, ନୋଓ୍ଵାକୁ ଧରି ଫିଶିଙ୍ଗ୍‌ ପାଇଁ ନଦୀ କୂଳକୁ ଯାଇଥିଲେ। ଜାଗାଟି ବହୁତ ଖସଡ଼ା ହୋଇଥିଲା। ଦୁହେଁ ନଦୀ କୂଳରେ ହିଁ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍‌ ବନ୍ଧ ପାଣି ଉପରକୁ ଉଛୁଳି ପଡ଼ିବାରୁ ନୋଓ୍ଵାର ଗୋଡ଼ ଖସି ଯାଇଥିଲା ଏବଂ ସେ ପାଣି ଭିତରକୁ ଚାଲିଯାଇଥିଲା। ବୃଦ୍ଧ ମାଲିକ ତୁରନ୍ତ କୁକୁରକୁ ବଞ୍ଚାଇବା ପାଇଁ ନଦୀକୁ କୁଦି ପଡ଼ିଥିଲେ। କୁକୁର ତ ନଦୀରୁ କୌଣସି ମତେ ବାହାରି ଆସିଥିଲା, ହେଲେ ବୃଦ୍ଧ ଜଣକ ବନ୍ୟାର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ।

dog2
photo: My Style News

ଆଖାପାଖରେ ଉପସ୍ଥିତ ଲୋକେ ଏହା ଦେଖି ତୁରନ୍ତ ରେସ୍‌କ୍ୟୁ ଟିମ୍‌କୁ ଡକାଇଥିଲେ। ପାଖାପାଖି ୨ ଘଣ୍ଟା ଧରି ବୃଦ୍ଧଙ୍କୁ ଖୋଜାଖୋଜି ଚାଲିଥିଲା। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରି ନ ଥିଲା। ସେପଟେ କୁକୁର ମାଲିକକୁ ନ ପାଇ ସେହିଠାରେ ହିଁ ଛିଡ଼ା ହୋଇ କାନ୍ଦିଥିଲା ଏବଂ ନିଜ ମାଲିକକୁ ଖୋଜୁଥିଲା। ଶେଷରେ ରେସ୍‌କ୍ୟୁ ଟିମ୍‌ ହାତରେ ବୃଦ୍ଧଙ୍କ ମୃତଦେହ ଲାଗିଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ତେବେ ଏ ସମସ୍ତ ଘଟଣା ପରେ ରେସ୍‌କ୍ୟୁ ଟିମ୍‌ ଓ ସେଠାରେ ଉପସ୍ଥିତ ଅନ୍ୟମାନେ ଚାଲିଯାଇଥିଲେ, କିନ୍ତୁ କ୍ଲିଙ୍ଗ୍‌ଙ୍କ ବିଶ୍ୱସ୍ତ କୁକୁର ଏବେ ବି ସେହି ନଦୀ କୂଳରେ ତାଙ୍କୁ ଅପେକ୍ଷା କରି ରହିଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ଏହା ବହୁତ ଭାବୁକ କରିଦେଲା ଭଳି ଦୃଶ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.