ପାୱାର ଓ ପୋଜିସନ ପାଇଁ କୁଛ ଭି କରେଗା……ଇଏ ପରା ରାଜନୀତି !

ରାଜନୀତିରେ ସତରେ କେତେବେଳେ କଣ ଘଟିବ ତାର ପୂର୍ବାନୁମାନ କରିବା ମୁସ୍କିଲ ।  ଆଉ ଏବେ ଦେଶରେ ଯାହା ଘଟୁଛି ତାକୁ ଦେଖିଲେ ଏକଥା ଆହୁରି ଦୃଢ ହୋଇ ଯାଉଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ପ୍ରସଙ୍ଗକୁ ନିଅନ୍ତୁ, ସେ ଗୋଟିଏ ସମୟରେ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ହେଲେ ଟିକିଏ ପାୱାରରୁ ଖସିବା ପରେ ତାଙ୍କ ମତିଗତି ବଦଳିଗଲା । କହିଲେ କଣ ନା ମୁଁ ଆଉ ରାଜନୀତି କରିବିନି ।  ସନ୍ୟାସ ନେଇଯିବି ।  ଗାୟକରୁ ରାଜନୀତି ନାୟକ ହୋଇଥିବା ବାବୁଲ ନିଜ ଘୋଷଣାର ଦିନ କେଇଟା ପରେ ଦେଖିଲା ବେଳକୁ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସ ଦଳର ଗାମୁଛା କାନ୍ଧରେ ପକାଇ ସାରିଲେଣି ।  ଏବେ ଆଗକୁ ଦେଖିବାର ଅଛି ଦିନେ ମୋଦିଙ୍କ ଗୁଣ ଗାନ କରୁଥିବା ବାବୁଲ ଏବେ କିଭଳି ତାଙ୍କ ବେଶଭୂଷା ସହ କଥା ବଦଳାଉଛନ୍ତି । ବାବୁଲ ସୁପ୍ରିୟୋ ପରେ କହିଲେ ସେ ରାଜନୀତି ଛାଡିବା କଥା ଚିନ୍ତା କରି ଭୁଲ କରିଛନ୍ତି । କାଲି ଯଦି କେହି ବିଜେପି ବନ୍ଧୁଙ୍କ ସହ ଦେଖା ହୁଏ ତେବେ ବାବୁଲ ଗାଇବେ … ବାଟରେ ଚାଲୁ ଚାଲୁ କେବେ କେହି ଦେଖା ହୁଏ ସବୁ ମନେ ରହେନା … ।

ଇଏ ତ ଗଲା ବାବୁଲଙ୍କ କଥା ଏବେ ଯଦି ଆମେ କ୍ରିକେଟ ଓ ହସ ମୈଦାନରୁ ଆସି ରାଜନୀତି କରୁଥିବା ନଭଜୋତ ସିଂହ ସିଦ୍ଧୁଙ୍କ କଥା କହିବା ତେବେ ତ ଅକଲ ଗୁଡ଼ୁମ ହୋଇଯିବ । ଲାଗି ଲାଗି ଶେଷରେ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତୀ ଆସନରୁ ତାଡି ଦେଲେ । ସାରା ଦେଶରେ କଂଗ୍ରେସର ଭୟଙ୍କର ବିପର୍ଯ୍ୟୟ ବେଳେ ଏଇ କ୍ୟାପଟେନ ଦଳର ସମ୍ମାନ ରଖିଥିଲେ ।  ପଂଜାବରେ କଂଗ୍ରେସକୁ ଭଲ ଭୋଟରେ ଜିତି ସମସ୍ତଙ୍କ ପ୍ରଶଂସା ସାଉଁଟି ଥିଲେ ।  ହେଲେ ସିଦ୍ଧୁଙ୍କ ଲଗାତାର ଚୌକା ଛକାରେ ଘାଇଲା ହୋଇ କ୍ୟାପଟେନ ଇସ୍ତଫା ଦେଇଦେଲେ । ସେ ଇସ୍ତଫା ଦେବା ପରେ ସିଦ୍ଧୁଙ୍କ ପାଇଁ ସବୁ ବାଟ ସଫା ହୋଇ ଯାଇଛି । ଏପଟେ କ୍ୟାପଟେନ କହୁଛନ୍ତି, ସିଦ୍ଧୁଙ୍କର ପାକିସ୍ତାନ ସହ ସମ୍ପର୍କ ଅଛି, ସେ ଦିନେ ନ ଦିନେ ପଞ୍ଜାବକୁ ବୁଡାଇ ଦେବେ । ହେଲେ କ୍ୟାପଟେନଙ୍କ ଏ ଦଶା ଦେଖି ସିଦ୍ଧୁଙ୍କ ମୁହଁରୁ ଖାଲି ‘ଶେର’ ବାହାରୁଛି ଆଉ ସେ ତାଙ୍କ ସମର୍ଥକଙ୍କୁ କହୁଛନ୍ତି ‘ଠୋକୋ ତାଲି  ।

ଆଉ ଓଡ଼ିଶାରେ ସଂଗେ ସଂଗେ ସ୍ୱର ବଦଳାଉଛନ୍ତି ନେତା । ଆଜିର କଥା କାଲିକୁ ବଦଳି ଯାଉଛି । ଯେମିତି ବିଧାୟକ ତାର ବାହିନୀପତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକଙ୍କ ବିରୋଧରେ ଖୁବ ବର୍ଷିଲେ ଆଉ ଦିନକ ପରେ ନରମି ଗଲେ । ଅବଶ୍ୟ ଇଏ ସବୁ ରାଜନୀତିର ଖେଳ । ଲୋକଙ୍କୁ ଏ ଏସବୁ ନୂଆ ଲାଗୁନି କି ଚମକାଇ ଦେଉନି । ତେଣୁ ଖେଳ ଏମିତି ଚାଲିଥିବା ଆଉ ଆମେ ଦେଖୁଥିବା । କାରଣ ଆମେ ‘କମନ ମ୍ୟାନ’ । କେବଳ ଭୋଟ ବେଳେ ଆମକୁ ମନେ ପକାନ୍ତି ସେମାନେ । ଅନ୍ୟ ବେଳେ ….. ନକହିବା ଭଲ । ତେବେ ଏତିକି ବୁଝି ହେଉଛି କି ପାୱାର ଓ ପୋଜିସନ ପାଇଁ କୁଛ ଭି କରେଗା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.