୪ ଅସହାୟ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ 

ଭୁବନେଶ୍ୱର(କେନ୍ୟୁଜ୍‌) : ମାଲକାନଗିରି ଜିଲ୍ଲା ପାନ୍ଦ୍ରୀପାଣି ଅନ୍ତର୍ଗତ ଭାଲୁଗଡ଼ା କଲୋନୀର ୪ ଅସହାୟ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍ । ଗତ ସେପ୍ଟେମ୍ବର ମାସରେ ସେମାନଙ୍କ ବାପା ପୂର୍ଣ୍ଣ ହନ୍ତାଳଙ୍କ ପରୋଲୋକ ହେବା ପରେ ୪ଭଉଣୀ ଅନାଥ ହୋଇଯାଇଥିଲେ ।

ଅଙ୍କିତା, ଝିଲି, ପଦ୍ମିନୀ ଓ ଶିବାନୀଙ୍କୁ ନେଇ ମାଆ ତୁଳସା ହନ୍ତାଳ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର କଳିଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା । ଏହି ଖବର କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ଶ୍ରୀ ସାମନ୍ତ ଅସହାୟା ତୁଳସାଙ୍କ ସହ ୪ ଝିଅଙ୍କୁ ସହାୟତାର ହାତ ବଢ଼ାଇଥିଲେ ।

୪ ଭଉଣୀ ଶିକ୍ଷାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍ ଫାଉଣ୍ଡେସନ୍ ସେମାନଙ୍କ ଦାୟିତ୍ୱ ନେବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେବା ସହ ବର୍ତ୍ତମାନ ସେମାନଙ୍କ ଚଳିବା ଓ ଶିକ୍ଷା ପାଇଁ ତୁରନ୍ତ ୫ ହଜାର ଟଙ୍କାର ଆର୍ଥିକ ସହାୟତା ନିଜ ପ୍ରତିନିଧିଙ୍କ ଜରିଆରେ ତୁଳସାଙ୍କ ନିକଟରେ ପହଞ୍ଚାଇଥିଲେ ।

ଏବେ କରୋନା କାଳ ଯୋଗୁଁ କିସ୍ ବନ୍ଦ ରହିଥିବାରୁ କିସ୍ ଖୋଲିଲେ ସେମାନଙ୍କୁ ବିନା ଦେୟରେ କିସରେ ନାମ ଲେଖାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି  ଦେଇଛନ୍ତି । ଏହି ସହାୟତା ପାଇଁ ତୁଳସା ଓ ତାଙ୍କ ପରିବାର କିସ୍ ଫାଉଣ୍ଡେସନ୍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.