ମଇଁଷି କ୍ଷୀର ଦେଲାନି ବୋଲି ଥାନାକୁ ଯାଇ ଅଭିଯୋଗ କଲେ ମାଲିକ

ମଇଁଷି କ୍ଷୀର ନ ଦେବାରୁ ଥାନାର ଦ୍ୱାରସ୍ଥ ହେଲା ମାଲିକ। ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଭିଣ୍ଡରୁ। ଏଠାରେ ମଇଁଷି କ୍ଷୀର ନଦେବାରୁ ମଇଁଷିକୁ ଧରି ଥାନାରେ ପହଞ୍ଚିଥିଲା ମାଲିକ। ମାଲିକର ଅଦ୍ଭୁତ ଅଭିଯୋଗ ଶୁଣି ପ୍ରଥମେ ଥାନାଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ସେ ପଶୁ ଚିକିତ୍ସକ ଡାକି ମାମଲାକୁ ସମାଧାନ କରିଛନ୍ତି।

ରିପୋର୍ଟ ମୁତାବକ, ଭିଣ୍ଡ ଜିଲ୍ଲାର ନୟା ଗାଁ ନିବାସୀ ବାବୁରାମ ଶନିବାର ଦିନ ନିଜ ମଇଁଷି ବିରୋଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେ ଥାନାଧିକାରୀଙ୍କୁ କହିଥିଲେ ଯେ ତାଙ୍କ ମଇଁଷି ତାଙ୍କୁ କ୍ଷୀର ଦୁହିଁବାକୁ ଦେଉନାହିଁ। କେବଳ ଏତିକି ନୁହେଁ ଏନେଇ ସେ ଏକ ଲିଖିତ ଅଭିଯୋଗ ମଧ୍ୟ ଥାନାଧିକାରୀଙ୍କୁ ଦେଇଥିଲେ। ପୋଲିସ ଏନେଇ ବାବୁରାମଙ୍କୁ ବୁଝାଇବା ପରେ ସେ ଫେରିଆସିଥିଲେ।

କିନ୍ତୁ କିଛି ସମୟ ପରେ ସେ ପୁଣିଥରେ ଥାନାକୁ ଆସିଥିଲେ। ଏଥରକ ସେ ନିଜ ସହ ମଇଁଷିକୁ ବି ବାନ୍ଧିକି ଆଣିଥିଲେ। ସେ ମଇଁଷିକୁ ଥାନାରେ ବାନ୍ଧି ତା ଠୁ କ୍ଷୀର ଦୁହିଁବାକୁ ଥାନାଧିକାରୀଙ୍କ ସାହାଯ୍ୟ ମାଗିଥିଲେ। ଏହା ଦେଖି ଥାନାଧିକାରୀ ବୁଝିଗଲେ ଯେ ମାମଲା ସମାଧାନ କରିବା ଏତେ ସହଜ ନୁହେଁ।

ଏଣୁ ସେ ପଶୁ ଚିକିତ୍ସକଙ୍କୁ ଡାକିଥିଲେ। କିନ୍ତୁ ବାବୁରାମ କହିଥିଲେ ଯେ ମଇଁଷିର କିଛି ଶାରୀରିକ ସମସ୍ୟା ନାହିଁ। ତାକୁ କିଏ ଗୁଣି କରିଛି। ଆଗୁରୁ ସେ ଠିକ ଭାବେ କ୍ଷୀର ଦେଉଥିଲା। କିନ୍ତୁ ଏବେ ଦେଉନି। ଏଣୁ ପୋଲିସ ଏହାର ତଦନ୍ତ କରନ୍ତୁ ଯେ କିଏ ତାଙ୍କ ମଇଁଷିକୁ ଗୁଣି କରିଛି। ତେବେ ଏନେଇ ଡିଏସପି ଅରବିନ୍ଦ ଶାହ କହିଛନ୍ତି, ଆମେ ବାବୁରାମଙ୍କ ଅଭିଯୋଗ ଶୁଣିଲୁ। ତାଙ୍କୁ ବୁଝାଉଛୁ। ଆଗକୁ ତାଙ୍କୁ ଯାହା ସହାୟତା ଦରକାର ଆମେ ନିଶ୍ଚୟ ସାହାଯ୍ୟ କରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.