୧୬ନଂ ଜାତୀୟ ରାଜପଥ ଜାରକା ବୁଦ୍ଧ ପାର୍କ ନିକଟରେ ହେବ ପୋଲ ନିର୍ମାଣ, NHAI କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟ ବୁଦ୍ଧ ପାର୍କ ପରିସରରେ ଏକ ଗଳିପୋଲ ନିର୍ମାଣ ନେଇ ଦାବି ହୋଇ ଆସୁଛି । ଏନେଇ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ରାସ୍ତାର ଉଭୟ ପାଶ୍ୱର୍ରେ ଏକାଧିକ ପଞ୍ଚାୟତ ରହିବା ସହ ଏକର ଏକର ଚାଷଜମି ରହୁଛି । ଏଠାରେ ଗଳିପୋଲ ନିର୍ମାଣ ହେଲେ ଲୋକମାନଙ୍କ ଗମନାଗମନ ସୁବିଧା ସହ ଚାଷୀମାନେ ଉପକୃତ ହୋଇପାରିବେ । ଏନେଇ ସ୍ଥାନୀୟ ବାସିନ୍ଦା ଏଠାରେ ଏକ ଗଳିପୋଲ ନିର୍ମାଣ ନେଇ ଦାବି କରିଆସୁଥିଲେ ।

ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ଏବେ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏଠାରେ ଏକ ଗଳିପୋଲର ଆବଶ୍ୟକତା ଏବଂ ସ୍ଥାନୀୟ ଲୋକଙ୍କ ଦାବି ପରେ ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଥିଲେ । ଏହିକ୍ରମରେ ଆଜି ଜାତୀୟ ରାଜପଥର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଏଠାରେ ଗଳିପୋଲ ନିର୍ମାଣ ହେବା ନେଇ ସବୁଜ ସଂକେତ ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.