Below header

ମାଆ ଡ୍ରେସ ଧରି ଝିଅକୁ ଅପେକ୍ଷା କରି ରହିଛି କିନ୍ତୁ ମିଳିଲା ଝିଅର ମୃତଦେହ

କଳସୀ ରଖାଯାଇଛି ପାଖରେ ନୂଆ ଡ୍ରେସ ବି ରଖାଯାଇଛି। ଝିଅକୁ ଗାଧୋଇ ସାରି ପଢ଼ୁଆଁ କରିବାକୁ ଗଲାବେଳେକୁ ଆଉ ନାହିଁ ଝିଅ। ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବା ପୂର୍ବରୁ ହଜିଗଲା ଝିଅ। ମିଳୁନି ଅଲିଅଳି ଗେଲ୍ହା ଝିଅ। ମାଆ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି, ଏପଟେ ବାପା ବି ଅବାକ। କଣ ହୋଇଗଲା ହଠାତ୍‌। ଗାଁରେ ଖେଳି ବୁଲି ପିଠା ମିଠା ଖାଉଥିବା କୁନି ଝିଅଟି ହଠାତ୍‌ ହୋଇଗଲା ନିଖୋଜ। ନିଜର ଅଲିଅଳି ଗେଲି ଝିଅକୁ ପଢ଼ୁଆଁ କରିବ ବୋଲି ସଜାଉଥିବା ମାଆ ଏବେ ପଡିଛି ଠାକୁରଙ୍କ ସାମ୍ନାରେ।

ବାପା ମାର ଏକ ମାତ୍ର ଗେଲି ଝିଅ ସାଇସ୍ମିତା। ପ୍ରଥମାଷ୍ଟମୀ ପାଇଁ ନୂଆ ଡ୍ରେସ ପିନ୍ଧି ଖୁସି ମନାଇଥାନ୍ତା। ହେଲେ ଘରେ ଡ୍ରେସ୍‌ ଅଛି କିନ୍ତୁ ଝିଅ ନାହିଁ ଘରେ। କୁଆଡେ ନିଖୋଜ ହୋଇଗଲା ଯେ ପରିବାର ଲୋକେ ଖୋଜି ଖୋଜି ନୟାନ୍ତ। ଏଭଳି ଅଭାନୀୟ ଘଟଣା ବାଲେଶ୍ୱରରେ ଦେଖିବାକୁ ମିଳିଛି । ବାଲେଶ୍ୱର ସଦର ବ୍ଲକର ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମ ପୁର ପଂଚାୟତ ନିମା ଗାଁର ଉମାକାନ୍ତ ପ୍ରଧାନ ଓ ଉପମିତା ପ୍ରଧାନଙ୍କ ଏକ ମାତ୍ର ଅଢେଇ ବର୍ଷର ଶିଶୁ କନ୍ୟାର ଆଜି ୯ଟା ପରଠାରୁ କୌଣସି ଖୋଜ ଖବର ନାହିଁ ।

ଘରେ ଝିଅକୁ ନପାଇ ମାଆ ପଡ଼ିଶା ଘରେ ଏବଂ ଗାଁ ସାରା ଖୋଜି ଚାଲିଲେ। କିନ୍ତୁ କେଉଁଠି ବି ପାଇଲେନି ଝିଅକୁ, ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଶେଷରେ ଗାଁ ପୋଖରୀ କୂଅ ମଧ୍ୟ ଖୋଜା କେଉଁଠି ବି ଖୋଜ ଖବର ବି ମିଳିଲାନି ଝିଅର। ନିଖୋଜ ଶିଶୁର ଚାହିଁବା ବାଟ କୁ ଚାହିଁ କାନ୍ଦି କାନ୍ଦି ଅଚେତ ହୋଇ ଯାଉଥିବା ମାଆ ଠାକୁରଙ୍କ ନିକଟରେ ଅଧିଆ ପଡ଼ିଛି। ଦୀପ ଲଗାଇ ଠାକୁରଙ୍କ ଆଗରେ କାନ୍ଦି ଚାଲିଛି ମାଆ। ମୋତେ ମୋ ଝିଅ ଦରକାର, ମୋ ଝିଅକୁ ଫେରେଇଦିଅ ମୋ ପାଖକୁ।

ତେବେ ପଡ଼ିଶା ଘରେ ଓ ପଡୋଶୀ ମାନେ ଖୋଜି ଖୋଜି ନ ପାଇବାରୁ ଶେଷରେ କେହି ଝିଅକୁ ଅପହରଣ ହୋଇଥିବା ନେଇ ବସ୍ତା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ୍‌ ମଧ୍ୟ ଖୋଜିବା ଆରମ୍ଭ କରିଥିଲା । ପୋଲିସ ଗାଁକୁ ଆସି ଗ୍ରାମବାସୀଙ୍କୁ ପଚରା ଉଚୁରା କରିବା ସହ ତନାଘନା ଚଳାଇଲା । ପିଲାଟିର ଅପହରଣ ନେଇ ଅନେକ କଥା ଉଠିଲା । ଲୋକେ ଆଲୋଚନା କରୁଛନ୍ତି । ହେଲେ ସାଇସ୍ମିତା ଏବେ କେଉଁଠି, ସେକଥା ଜଣାପଡ଼ିଲା ନାହିଁ । ଦିନ ବିତିଗଲା ଆଉ ରାତି ପାହିଲା । ଆଜି ସକାଳେ ପୋଖରୀରୁ ମିଳିଲା କୁନି ଝିଅଟିର ମୃତଦେହ । ଗାଁରେ ବୁଲି ବୁଲି ପିଠା ମିଠା ଖାଇଥିବା ଏତେ ଛୋଟ ପିଲାଟି କେମିତି ଗଲା ପୋଖରୀ ପାଖକୁ ? କିଏ ତାକୁ ନେଇଥିଲା ନା ସେ ନିଜେ ଚାଲି ଯାଇଥିଲା ? ତାକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ଏହା ଭିତରେ କୋଳଶୂନ୍ୟ ହୋଇ ଯାଇଛି ଉମାକାନ୍ତ ଓ ଉପମିତାଙ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.