ଭୁବନେଶ୍ବର(କେନ୍ୟୁଜ୍): ସ୍ପୋର୍ଟି ଲୁକ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରାକ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିଅମ୍ କମ୍ପ୍ଲେକ୍ସରେ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଦେଶର ସର୍ବପ୍ରଥମ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି ନବୀନ। ଆଥଲେଟ ମାନଙ୍କ ପାଇଁ ଏହି ଇଣ୍ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର ବିକାଶକୁ ଜୋରଦାର କରିବ ବୋଲି ସେ କହିଛନ୍ତି। ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଛନ୍ତି।
୧୨୦ କୋଟି ଟଙ୍କା ବିନିଯୋଗରେ ଷ୍ଟାଡିୟମ ନିର୍ମାଣ କରାଯାଉଛି । ଚଳିତ ବର୍ଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ। ଖେଳାଳିମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ। ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ। ଏହି ଟେନିସ୍ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ।
ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହି ସବୁ କ୍ରୀଡା ପ୍ରକଳ୍ପ ର୍ନିମାଣ କରାଯାଉଛି। ଏହାଦ୍ଵାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି। ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍ ମ୍ୟାଚ ଦେଖିଥିଲେ ଏବଂ ଖେଳାଳିମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।