ୟୁକ୍ରେନ୍‌ର ମାରିୟୁପୋଲ ସହରରେ ଭୟଙ୍କର ବିନାଶର ଚିତ୍ର, ବଙ୍କର ଭିତରେ ଲୁଚିଛନ୍ତି ଲକ୍ଷ ଲକ୍ଷ ଲୋକ

ବ୍ରିଟେନ୍‌ ଲେଖକ ହର୍ବର୍ଟ ଜର୍ଜ େଓ୍ଵଲ୍‌ସଙ୍କ ଭାଷାରେ ଯଦି ଆମେ ଯୁଦ୍ଧ ଶେଷ ନକରିବା ତେବେ ଯୁଦ୍ଧ ଆମକୁ ଶେଷ କରିଦେବ । ଯୁଦ୍ଧର ଅର୍ଥ ହେଉଛି ସଂହାର ଲୀଳା । କେବଳ ବିନାଶ । ଏବେ ସେଭଳି ସ୍ଥିତି ଦେଖିବାକୁ ମିଳିଛି ୟୁକ୍ରେନ୍‌ରେ । ରୁଷିଆର ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ୟୁକ୍ରେନ୍‌ର ଅନେକ ସହର । ତା ଭିତରେ ରହିଛି ମାରିୟୁପୋଲ ସିଟି । ଯେଉଁଠି ଏବେ ମୃତ୍ୟୁ ତାଣ୍ଡବ ଚାଲିଛି । ବୋମା ଓ ମିଶାଇଲ୍‌ ମାଡ଼ରେ ଶ୍ମାଶନ ପାଲଟିଛି ସୁନ୍ଦର ସହର । କେଉଁଠି ନିଆଁ ଜଳୁଛି ତ କେଉଁଠୁ ଧୂଆଁ ଉଠୁଛି । ବାରୁଦ ଗନ୍ଧରେ ଭରି ଯାଇଛି ପୂରା ସହର । ଖାଲି ସେତିକି ନୁହେଁ ମୃତ ଲୋକଙ୍କ ଶବ ସବୁ ପଡ଼ି ରହିଛି । ଉଠାଇବାକୁ କେହି ନାହିଁ । ସେ ଶବକୁ କୁକୁରମାନେ ଟାଣି ଖାଉଛନ୍ତି ।

କିଛି ଲୋକ ଭୋକ ଦାଉରୁ ନଡରି ବାହାରକୁ ବାହାରୁଛନ୍ତି କେବଳ ଖାଦ୍ୟ ପାଇଁ । ତାଲାବନ୍ଦ ଦୋକାନକୁ ଭାଙ୍ଗି ଯାହା ପାଉଛନ୍ତି ନେଇ ଯାଉଛନ୍ତି । ଆଉ କିଛି ଭୟରେ ଲୁଚି ରହିଛନ୍ତି ବଙ୍କର ଭିତରେ । ସ୍ତ୍ରୀଲୋକ ଓ ପିଲାମାନେ ତେଲ ଦୀପ ଜାଳି ସେହି ବଙ୍କର ଭିତରେ ଥରୁଛନ୍ତି । କେତେବେଳେ ବି କିଛି ଘଟିଯିବ । ମୃତ୍ୟୁ ଯେମିତି ଜଗି ବସିଛି ବାହାରେ ।

ଲୋକଙ୍କୁ ଖାଇବା କଣ ପାଣି ପିଇବାକୁ ବି ମିଳୁନି । ସେମାନେ ବରଫ ତରଳାଇ ତାକୁ ପାଣି କରି ପିଉଛନ୍ତି । ଏହି ବନ୍ଦର ସହର ମାରିୟୁପୋଲରେ ସବୁବେଳେ ଶଭୁଛି ଗୁଳିଗୋଳାର ଆବାଜ । ଏହି ସହରର ଲୋକ ସଂଖ୍ୟା ହେଉଛି ୪ ଲକ୍ଷ ୩୦ ହଜାର । କୁହାଯାଉଛି ଏଇଠି ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ସାଧାରଣ ଲୋକେ ।
ବଙ୍କର ଭିତରୁ ଲୋକଙ୍କୁ କାଢ଼ି ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ତାହା ବିଫଳ ହେଲା ।

ୟୁକ୍ରେନ୍‌ର ଅଧିକାରୀଙ୍କ ସୂଚନା ଅନୁସାରେ, ଏହି କାମ ପାଇଁ ଏକ ବଡ଼ ଟିମ୍‌କୁ ମାରିୟୁପୋଲ ପଠା ଯାଇଥିଲା । ହେଲେ ସହର ସୀମରେ ପାହଞ୍ଚିବା ପରେ ରୁଷ୍‌ ସୈନିକମାନେ ଗୁଳି ବର୍ଷା କରିବାରୁ ସେମାନେ ଆଗକୁ ଯାଇ ପାରିଲେ ନାହିଁ । ଆଜୋବ ସାଗର ଭିତରେ ଥିବା ମାରିୟୁପୋଲ ସହରକୁ ଏବେ ରୁଷ୍‌ ସେନା ଘେରି ରହିଛି । ସେଠାରେ ସ୍ଥିତି ବହୁତ ଖରାପ ବୋଲି ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ବେରେଶ୍ଚୁକ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.