୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ
ଲକ୍ଷ୍ମୌ: ମାମୁ ସାଜିଲା କଂସ। ୫ ବର୍ଷର କୁନି ଭାଣିଜୀକୁ ବଳାତ୍କାର ପରେ ହତ୍ୟା କଲା ମାମୁ। ଭାଣିଜୀକୁ ଆଇସ୍କ୍ରିମ୍ ଲୋଭ ଦେଖାଇ ଘରୁ ଉଠାଇ ନେବା ପରେ ଜଙ୍ଗଲରେ ତା’ ହାତ ଗୋଡ଼ ବାନ୍ଧି ପ୍ରଥମେ ନିଜ ଦୁସ୍ତ କାବନା ଚରିତାର୍ଥ କଲା। ଭାଣିଜୀ ଯେତେ କାକୁତିମିନତି ହେଲେ ବି ଏହି ପିଶାଚ ମାମୁର ହୃଦୟ କିନ୍ତୁ ତରଳିନଥିଲା। କେବଳ ଏତିକିରେ ସରିନଥିଲା ମାମୁର କ୍ରୁରତା। ଦୁଷ୍କର୍ମ କରିବା ପରେ ସେ ଭାଣିଜୀର ହାତ କାଟି ଦେଇ ତାକୁ ହତ୍ୟା ବି କରିଥିଲା। ଆଉ ରାତିରେ ନିଜ ହିଁ ମୃତଦେହକୁ ଧରି ଘର ସାମ୍ନାରେ ଫିଙ୍ଗି ଦେଇ ଆସିଥିଲା। ୨୦୧୪ ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡରେ ଏବେ ମାମୁକୁ ପୋକ୍ସୋ ଅଦାଲତ ଫାଶୀ ଦଣ୍ଡ ଦେଇଛନ୍ତି।
କୋର୍ଟ କହିଛନ୍ତି, ଏଭଳି ଜଘନ୍ୟ କାଣ୍ଡ କରିଥିବା ଦୋଷୀକୁ ମରିବା ଯାଏଁ ଫାଶୀ ଖୁଣ୍ଟରେ ଝୁଲାଯାଉ। ଏମିତି ଲୋକ ସମାଜରେ ରହିବା ଯୋଗ୍ୟ ନୁହେଁ। ନିଜ ସମ୍ପର୍କୀୟ ଭାଣିଜୀ, ଯାହାର ବୟସ ମାତ୍ର ୫ ବର୍ଷ ତାହାକୁ ଦୁଷ୍କର୍ମ କରିବା ଏକ ଅକ୍ଷମଣୀୟ ଅପରାଧ। ଏଣୁ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ଫଳରେ ୮ ବର୍ଷ ପରେ ନ୍ୟାୟ ପାଇଛି କୁନି ଝିଅ।
ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଏପ୍ରିଲ ୪ ତାରିଖରେ ଲକ୍ଷ୍ମୌର ଜଣେ ବ୍ୟକ୍ତି ପୋଲିସରେ ଖବର ଦେଇଥିଲେ ଯେ ତାଙ୍କ ନାତୁଣୀ କୁଆଡ଼େ ଚାଲିଯାଇଛି। ଏହି ଘଟଣାରେ ପୋଲିସ ଖୋଜାଖୋଜି କରିବା ବେଳେ ଝିଅର ମାମୁ ଅର୍ଥାତ୍ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ପୁଅ, ମୃତ ଦେହକୁ ଆଣି ଘର ସାମ୍ନାରେ ରଖିଥିଲେ। ମୃତ କୁନି ଝିଅର ଦୁଇ ହାତ ବନ୍ଧା ଯାଇଥିବା ବେଳେ ହାତ ଶିରା କଟାଯାଇଥିଲା। ଏଥିସହ ମାମୁ ନିଜେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୮ ବର୍ଷ ହେଲାଣି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର କୋର୍ଟ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।
Also Read: ‘ହିରୋପନ୍ତୀ ୨’ରେ ଫୁଲ୍ ଅନ୍ ଆକ୍ସନ୍ ମୋଡ୍ରେ ନଜର ଆସିବେ ଟାଇଗର ଶ୍ରଫ୍, ସାମ୍ନାକୁ ଆସିଲା ପୋଷ୍ଟର