କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରୁ ଅପରେସନ୍ ଓଡ଼ିଶାରେ ବିକ୍ରି । ଦାମୀ ନିଶାର ଦକ୍ଷିଣ ଆଫ୍ରିକା ଲିଙ୍କ୍ । ଭୁବନେଶ୍ୱରରେ ପ୍ରଥମ ଥର କୋକେନ୍ ମିଳିବା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଗିରଫ ରବି ସିଂ ଓ ସନ୍ନି କୁମାର ନିକଟରୁ ମିଳିଛି ଦକ୍ଷିଣ ଆଫ୍ରିକା କରେନ୍ସୀ । ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ସମେତ ଦେଶ ବାହାରେ କୋକେନ ଲିଙ୍କ୍ ନେଇ ବି ସୁରାକ ମିଳିଛି । ଏବେ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । କେତେ ଦିନ ହେବ ରାଜଧାନୀରେ ଚଳାଇଥିଲେ କୋକେନ କାରବାର ? ନିଶା କାରବାରର ଚେର କେତେ ଦୂର ଲମ୍ବିଛି ? କେବଳ ଭୁବନେଶ୍ୱରରେ ସୀମିତ ନା ରାଜ୍ୟର ଅନ୍ୟ ସ୍ଥାନରେ ରହିଛି ନେଟଓ୍ଵର୍କ । ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ? ଏସବୁର ଖୋଳତାଡ଼ ହେବ । ସେପଟେ ଜବତ କୋକେନ ଟେଷ୍ଟ ପାଇଁ ଷ୍ଟେଟ ଫୋରେନସିକ ଲାବକୁ ପଠାଯାଇଛି । ଗିରଫ ରବି ଓ ସନ୍ନିଙ୍କ CDR ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ STF ।
ବିଦେଶୀଙ୍କ ଚାହିଦାକୁ ଆଖି ଆଗରେ ରଖି ରାଜଧାନୀକୁ ମହଙ୍ଗା ନିଶା କୋକେନ୍ ଆଣିଥିଲେ ରାଜସ୍ଥାନୀ ଯୁବକ । ଆମେରିକା ,କାନାଡ଼ା ଓ ୟୁରୋପ ପରି ଦେଶରେ ବେଶ୍ କାରବାର ହୁଏ ଏହି ଦାମୀ ନିଶା । ପ୍ରଥମ ଥର ପାଇଁ ଓଡିଶା ଆସି ବ୍ୟବସାୟ କରୁଥିବା କଥା ସ୍ୱୀକାର କରିଛନ୍ତି ଦୁଇ ଅଭିଯୁକ୍ତ । ଟାର୍ଗେଟରେ ଥିଲେ ରାଜଧାନୀର ଧନୀ, ସମ୍ଭ୍ରାନ୍ତ ଘରର ପିଲା ଓ ଫାଇଭ ଷ୍ଟାର ହୋଟେଲର ଗ୍ରାହକ ।
ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ଜବତ ୨ କୋଟି ଟଙ୍କାର କୋକେନ୍କୁ ନେଇ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ । ଦିଲ୍ଲୀ ତୁର୍କମାନ ଗେଟ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଅପରେସନ କୋକେନ୍ । ଦିଲ୍ଲୀରୁ ଭୁବନେଶ୍ୱର କୋକେନ୍ ଆଣୁଥିଲା ଗିରଫ ଅଭିଯୁକ୍ତ ରବି । ପରେ ସନ୍ନି ଏହାକୁ ଭୁବନେଶ୍ୱରରେ ବିକ୍ରି କରୁଥିଲା । ଏବେ କୋକେନର କିଙ୍ଗପିନ୍କୁ ଧରିବାକୁ ଦିଲ୍ଲୀ ଯାଇଛି ଏସ୍ଟିଏଫ୍ର ଟିମ୍ ।