ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଗାମୀ ଦିନରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଆସନ୍ତା କିଛି ଦିନ ମଧ୍ୟରେ ଖାଦ୍ୟ ତୈଳ ଉପରେ ମହଙ୍ଗା ମାଡ ଟିକିଏ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ବୈଠକ ପରେ ଖାଦ୍ୟ ତେଲ ପ୍ରୋସେସର ଓ ନିର୍ମାତା ତେଲ ଦର ହ୍ରାସ କରିବା ନେଇ ସହମତି ଜଣାଇଛନ୍ତି । ବିଦେଶୀ ମାର୍କେଟରେ ଖାଇବା ତେଲର ଦର ହ୍ରାସ ପାଇଲା ପରେ ଘରୋଇ ଦରରେ ମଧ୍ୟ ହ୍ରାସ କରାଯାଇପାରେ । ସରକାରଙ୍କ ଉଦ୍ୟମ ହେଲା ଯେ, ହ୍ରାସ ପାଇଥିବା ତେଲ ଦରରୁ ଉପଭୋକ୍ତା ଉପକୃତ ହେବେ ।
ସୂଚନା ଅନୁଯାୟୀ, ବୈଶ୍ୱିକ ବଜାରରେ ତୈଳଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଦ୍ୟ ତୈଳର ଦାମ୍ କମ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ । ଆସନ୍ତା ଦିନରେ ଏହି ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ତୈଳଦର ହ୍ରାସ କରିଥିଲେ କମ୍ପାନୀ । ଗତ ଜୁଲାଇରେ ଖାଦ୍ୟ ତୈଳ ଉପରେ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଥିଲା ଖାଦ୍ୟ ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ ଅଡାନୀ ୱିଲମର ।
ଭାରତ ଏହାର ରନ୍ଧନ ତେଲର ଦୁଇ ତୃତୀୟାଂଶ ଆମଦାନୀ କରିଥାଏ। ଗତ କିଛି ମାସ ମଧ୍ୟରେ, ରୁଷ-ୟୁକ୍ରେନ ଯୁଦ୍ଧଏବଂ ଇଣ୍ଡୋନେସିଆ ଦ୍ୱାରା ପାମ୍ ଅଏଲ ରପ୍ତାନୀ ଉପରେ ପ୍ରତିବନ୍ଧକ ପରେ ଖାଦ୍ୟ ତେଳ ଦର ବୃଦ୍ଧି ପାଇଥିଲା । ତେବେ ଇଣ୍ଡୋନେସିଆ ଗତ କିଛି ମାସ ମଧ୍ୟରେ ପାମ୍ ଅଏଲ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇ ଦେଇଛି। ଏହି କାରଣରୁ ବିଶ୍ୱ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇଛି।
ମୂଲ୍ୟ ଏବଂ ଉପଲବ୍ଧତା ସମୀକ୍ଷା କରିବା ପାଇଁ କେନ୍ଦ୍ର ମେ ମାସରୁ ତୈଳ ନିର୍ମାତାମାନଙ୍କ ସହିତ ତିନୋଟି ବୈଠକ କରିଆସୁଛି। ପାମ୍ ଅଏଲ ଆମଦାନୀ ପାଇଁ ଇଣ୍ଡୋନେସିଆ ଏବଂ ମାଲେସିଆ ଉପରେ ଏବଂ ସୂର୍ଯ୍ୟମୁଖୀ ତେଲ ଏବଂ ସୋୟାବିନ୍ ତେଲ ପାଇଁ ୟୁକ୍ରେନ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ରୁଷିଆ ଉପରେ ନିର୍ଭରଶୀଳ।