ପୁଣି ଏକ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଶାଶୁ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ।

ସୂଚନା ମୁତାବକ ପ୍ରାୟ ଏକ ବର୍ଷ ହେବ ମାହାଙ୍ଗା ଥାନା ଅଞ୍ଚଳର ମାଧବାନନ୍ଦ ବଳଙ୍କ ଝିଅ ରଶ୍ମିତା (୨୭) ସହ ଧର୍ମଶାଳା ଥାନା ଅଚ୍ୟୁତପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ପୁଅ ଜିତେନ୍ଦ୍ରଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବାପ ଘର ଲୋକେ ଦାବି ମୁତାବକ ଯୌତୁକ ଦେଇଥିଲେ। ତେବେ ବିବାହ ପରେ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ରଶ୍ମିତାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।

ଏସମ୍ପର୍କରେ ଭଦ୍ର ଲୋକଙ୍କ ଉପସ୍ଥିତିରେ ଅନେକ ଥର ସମାଧାନ ହୋଇଥିବା ଜଣାଯାଇଛି। ତେବେ ଗତକାଲି ରାତିରେ ଖାଇ ପିଇ ଶୋଇବା ପରେ ବିଳମ୍ବିତ ରାତିରେ ରଶ୍ମିତା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ତାର ସ୍ୱାମୀ ଜିତେନ୍ଦ୍ର ଫୋନ ଯୋଗେ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲା। ରଶ୍ମିତାକୁ ତାର ସ୍ୱାମୀ ଜିତେନ୍ଦ୍ର ଧର୍ମଶାଳା ଡାକ୍ତରଖାନାକୁ ନେଇ ଆସିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳୁ ମୃତ ରଶ୍ମିତାଙ୍କ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚି ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଏନେଇ ମୃତ ରଶ୍ମିତାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଁ ଧର୍ମଶାଳା ପୋଲିସ ମୃତଦେହକୁ ଵ୍ୟଵଛେଦ ପାଇଁ ବଡ଼ଚଣା ମେଡିକାଲ ପଠାଇଛି। ଏଥିସହ ଏକ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ଜିତେନ୍ଦ୍ରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.