ରାଇରଙ୍ଗପୁର(କେନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ ଜନୈକ କଣ୍ଟ୍ରାକ୍ଟରଙ୍କ ଘରୁ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ। ଏଭଳି ଲୁଟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୱାର୍ଡ଼ ନଂ ୬ ଗଢ଼ରେ। ସୂଚନା ଅନୁଯାୟୀ, ଗଢ଼ ଫିସାରୀ ଅଫିସ ନିକଟସ୍ଥ ଜନୈକ ଯୁବ କଣ୍ଟ୍ରାକ୍ଟର ଅମିତ କୁମାର ବରହପୁରିଆଙ୍କ ବାସଭବନରେ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି।
ସେହି ସମୟରେ ୫/୬ ଜଣ ଡକାୟତ ତାଙ୍କ ଘର ପଛପଟ କବାଟ ଭାଙ୍ଗି ବନ୍ଧୁକ ମୁନରେ ପରିବାର ଲୋକଙ୍କୁ କାବୁ କରି ନେଇଥିଲେ। ପରିବାର ଲୋକଙ୍କୁ ବାନ୍ଧି ଘରେ ଥିବା ନଗଦ ୪୦,୦୦୦ ଟଙ୍କା ଓ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ଆଜି ପରିବାର ଲୋକଙ୍କ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ଖବର ପାଇ ରାଇରଙ୍ଗପୁର ଏସଡିପିଓ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଦୁର୍ବୃତ୍ତ ମାନେ ଅମିତଙ୍କ ଘରେ ଛାଡି ଦେଇଥିବା ଏକ ଦେଶୀ ବନ୍ଧୁକକୁ ଜବତ କରିଛି ପୋଲିସ। ତେବେ ଅମିତଙ୍କ ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଦୁର୍ବୃତ୍ତ ମାନେ ଡିଭିଆର୍ ମେସିନ ନେଇ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ଘର ଭିତରୁ ଏଭଳି ବନ୍ଧୁକ ମୁନରେ ଲୁଟ ଘଟଣା ଘଟିଥିବା ଯୋଗୁଁ ଦୁର୍ବୃତ୍ତ ମାନଙ୍କୁ ଧରିବା ଏବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପଡିଛି।