ହାଇକୋର୍ଟରେ ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗରେ ଶୁଣାଣି। ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅକ୍ଟୋବର ୧୫ ତାରିଖ ସୁଦ୍ଧା ବକେୟା ୧୧୫ କୋଟି ଟଙ୍କା ରାଜ୍ୟ ସରକାର ଦାଖଲ କରିବେ। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡକୋ ପକ୍ଷରୁ ୫ କୋଟି ସମୁଦାୟ ୩୫ କୋଟି ଟଙ୍କା ଦାଖଲ କରିଥିଲେ।
ଅଫିସିଆଲ ଲିକ୍ୟୁଡେଟରଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ପୂର୍ବ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସତ୍ୟପାଠ ଆଜି ଦାଖଲ କରିଛନ୍ତି। ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ଦାଖଲ ହୋଇଥିବା ସତ୍ୟପାଠରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଛନ୍ତି ଓଟିଏମର ଅଫିସିଆଲ ଲିକ୍ୟୁଡେଟର। ପୂର୍ବରୁ ମାମଲାର ଶୁଣାଣି ପରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି କରାଯାଇଛି। ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଆସନ୍ତା ଅକ୍ଟୋବର ୧୮ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।