ଜମ୍ମୁ କଶ୍ମୀର: ଉଦ୍ଦାମପୁରରେ ବସ୍ ଉପରେ ବିସ୍ଫୋରଣ, ୮ ଘଣ୍ଟାରେ ଦ୍ୱିତୀୟ ଘଟଣା, ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଆଶଙ୍କା

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଉଦ୍ଦାମପୁରରେ ଗୁରୁବାର ଏକ ବସ୍ ଉପରେ ବିସ୍ଫୋରଣ କରାଯାଇଛି । ଆଜି ଭୋର ୫ଟା ୧୫ମିନିଟରେ ସମୟରେ ଲଗାତାର ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ୮ ଘଣ୍ଟା ଭିତରେ ଷ୍ଟାଣ୍ଡରେ ଥିବା ଦୁଇଟି ବସରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଛି । ଏହି ବସ ନିୟର ରାମନଗରରୁ ଉଦୟପୁରକୁ ଚାଲିଥାଏ ଏବଂ ରାତିରେ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିଲା । ତେବେ ଏହି ବିସ୍ଫୋରଣ ଘଟଣାରେ କାହାର ଜୀବନ ପ୍ରତି କ୍ଷତି ହୋଇନଥିବା ବେଳେ ବସର କଣ୍ଡକ୍ଟର ଆହତ ହୋଇଥିବା ଜଣାପଡିଛି । ଏଥିସହିତ ବିସ୍ଫୋରଣ ଯୋଗୁଁ ପାଖରେ ଥିବା ଅନ୍ୟ ବସ୍‌ଗୁଡ଼ିକର ସାମାନ୍ୟ କ୍ଷତି ହୋଇଛି । ତେବେ ଘଟଣାସ୍ଥଳରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ଅନ୍ୟ ନିରାପତ୍ତା ବଳ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ୮ ଘଣ୍ଟା ଭିତରେ ଉଦ୍ଦାମପୁରରେ ବସ୍‌ରେ ବିସ୍ଫୋରଣ ଘଟଣା ୨ଥର ହେଶଇଛି । ଏହା ପୂର୍ବରୁ ବୁଧବାର ରାତି ୧୦ଟା ୪୫ରେ ଡୋମେଲ ଛକରେ ଏକ ବସରେ ଏହି ଭଳି ଭାବେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ କାରଣରୁ ୨ ଜଣ ଲୋକ ଆହତ ହୋଇଥିଲେ । ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଦ୍ୱୟ ହେଉଛନ୍ତି ବସ୍‌ର କଣ୍ଡକ୍ଟର୍‌ ୨୭ ବର୍ଷିୟ ସୁନୀଲ ସିଂହ ଓ ତାଙ୍କ ୪୦ ବର୍ଷିୟ ବନ୍ଧୁ ବିଜୟ କୁମାର। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ ଓ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଯାଇ ଆହତ ବ୍ୟକ୍ତିଦ୍ୱୟଙ୍କୁ ଉଧାମପୁର ଜିଲ୍ଲା ହସ୍ପିଟାଲ୍‌କୁ ପଠାଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବସ୍‌ର ଛାତ ଉଡ଼ିଯାଇଥିଲା । ଏହା ଏଣେତେଣେ ପଡ଼ିଥିଲା।

ଅନ୍ୟପଟେ ଆହତ କଣ୍ଡକ୍ଟରଙ୍କ କହିବା ମୁତାବକ ସନ୍ଧ୍ୟା ପ୍ରାୟ ୭.୩୦ରେ ୨ଜଣ ଅଚିହ୍ନା ବ୍ୟକ୍ତି ଆସି ବସ୍‌ ଛାତରେ ଗଦି ଏବଂ ଆଉ ଦୁଇଟି ଜିନିଷ ରଖିବାକୁ କହିଥିଲେ , ଆସନ୍ତାକାଲି ସକାଳେ ଏ ଜିନିଷ ରାମନଗର ଯିବ। ବସ୍‌ରେ ଜିନିଷପତ୍ର ଲଦି ଦେଇ ଦୁହେଁ ଘଟଣାସ୍ଥଳରୁ ଚାଲିଯିବାର ପ୍ରାୟ ୩ ଘଣ୍ଟା ପରେ ବିସ୍ଫୋରଣ ଘଟିଲା। ଉପରୋକ୍ତ ବିସ୍ଫୋରଣସ୍ଥଳଠାରୁ ମାତ୍ର ୪ କିଲୋମିଟର୍‌ ଦୂରରେ ଦ୍ୱିତୀୟ ବିସ୍ଫୋରଣ ଘଟିଛି। ଘଟଣାକୁ ନେଇ ଜମ୍ମୁ କଶ୍ମୀର ଆଇଜି ମୁକେଶ ସିଂହ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨ଟି ବିସ୍ଫୋରଣ ହୋଇଛି । ଉଦ୍ଦାମପୁରରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ବସ୍‌ରେ ଏହି ବିସ୍ଫୋରଣ ହୋଇଛି । ୨ ଜଣ ଲୋକ ଆହତ ହୋଇଛନ୍ତି । ପୋଲିସ ମାମଲାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.