Below header

ଏୟାର ଇଣ୍ଡିଆ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା କଲା ମହଙ୍ଗା, ଆଉ ମିଳିବନି ୫୦ ପ୍ରତିଶତ ରିହାତି

ସିନିୟର ସିଟିଜେନ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା ହେବ ମହଙ୍ଗା। ଏୟାର ଇଣ୍ଡିଆ ପକ୍ଷରୁ ମିଳୁଥିବା ରିହାତି ଏବେ ଆଉ ମିଳିବନି। ଟାଟା ଗ୍ରୁପର ଆଭିଏସନ କମ୍ପାନୀ ଏୟାର ଇଣ୍ଡିଆ ଇକୋନମୀ ଶ୍ରେଣୀ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କୁ ଦେଉଥିବା ରିହାତିକୁ ଅଧା କରିଦେଇଛି । କମ୍ପାନୀର ୱେବସାଇଟ୍‌ ଅନୁସାରେ, ବିମାନ ଯାତ୍ରାର ଭଡା ଗତକାଲି ଠାରୁ ଲାଗୁ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଏବଂ ଛାତ୍ରମାନଙ୍କ ପାଇଁ ୫୦ ପ୍ରତିଶତ ରିହାତିରେ ସିଟ୍‌ ମିଳୁଥିଲା। ତେବେ ଏହାକୁ ଏବେ କମ୍‌ କରିଦିଆଯାଇଛି। ଏୟାରଲାଇନ ପକ୍ଷରୁ ୧୨ଟି ଅଲଗା ଅଲଗା ବେସିକ କ୍ୟାଟେଗୋରୀରେ ମଧ୍ୟ ରିହାତି ମିଳୁଛି। ନିୟମ ମୁତାବକ, ଅନ୍ୟ କିଛି ଶ୍ରେଣୀରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।

ଏୟାର ଇଣ୍ଡିଆ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ୨୯ ସେପ୍ଟେମ୍ବର କିମ୍ବା ତା’ ପର ଠାରୁ ଜାରି ହେଉଥିବା ଟିକେଟର ମୂଳ ଦାମ୍‌ ଠାରୁ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ୨୫ ପ୍ରତିଶତ ରିହାତି ମିଳିବ। ଏହି ରିହାତି ଇକୋନମୀ କ୍ୟାବିନରେ କିଛି ବୁକିଂ ସିଟ୍‌ରେ ମିଳିବ। ଟାଟା ଗ୍ରୁପ ମାନ୍ଦାବସ୍ଥାରେ ଚାଲୁଥିବା ଯୋଗୁଁ ଏୟାର ଇଣ୍ଡିଆ ସରକାରଙ୍କ ଠାରୁ ଚଳିତବର୍ଷ ଜାନୁଆରୀରେ ଅଧିଗ୍ରହଣ ହୋଇଛି। ବୟାନ ମୁତାବକ, ଦେଶରେ ୬୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସର ନାଗରିକ ଫଟୋ ଆଇଡି ଦେଖାଇବା ଦ୍ୱାରା ରିହାତି ମିଳିବ। ସେହିପରି ୧୨ ରୁ ୨୬ ବର୍ଷୀୟ କଲେଜ ଛାତ୍ର କଲେଜ କିମ୍ବା ସ୍କୁଲର ଆଇଡି କାର୍ଡ ଦେଖାଇଲେ ରିହାତି ପାଇବେ। ପୂର୍ବରୁ ଏହାକୁ ବୁକିଂ କରାଇବା ସମୟରେ କେବଳ କିଛି ଡକ୍ୟୁମେଣ୍ଟ ଦେଖାଇବାକୁ ପଡୁଥିଲା।

ଏୟାର ଲାଇନ ପକ୍ଷରୁ ସିନିଅର ସିଟିଜେନ ଏବଂ ଛାତ୍ରଙ୍କ ବ୍ୟତୀତ ଯେଉଁ କ୍ୟାଟେଗୋରୀରେ ରିହାତି ମିଳୁଛି ସେଗୁଡିକ ହେଉଛି, ସେନା, ପାରାମିଲିଟାରୀ ଫୋର୍ସ, ସିଆରପିଏଫ, ଆସାମ ରାଇଫଳ, ସେଣ୍ଟ୍ରାଲ ପୋଲିସ ଫୋର୍ସରେ ସହିଦଙ୍କ ପରିବାର, ଦିବ୍ୟାଙ୍ଗ ସୈନିକ, ରାଷ୍ଟ୍ରପତି ପଦକ ପ୍ରାପ୍ତ ଯବାନ କିମ୍ବା ଅଧିକାରୀ, ଅର୍ଜୁନ ଆଓ୍ଵାଡି ଏବଂ ମେଡିକାଲ ସମସ୍ୟା ଥିବା ବ୍ୟକ୍ତିଙ୍କୁ ରିହାତି ଦିଆଯାଉଛି ।

ଦୀର୍ଘ ୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ କିଣିଥିଲା ଟାଟା ଗ୍ରୁପ। ଏ ନେଇ ନିଲାମ ଡକାଯାଇଥିଲା। ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଥିଲା ଟାଟା ଗ୍ରୁପ। ଟାଟା ଗ୍ରୁପ ପୂର୍ବରୁ ଏୟାର ଏସିଆ ଏବଂ ଭିସ୍ତାରା ମଧ୍ୟ ପରିଚାଳନା କରୁଥିଲା। ଏୟାର ଏସିଆରେ ଟାଟାର ୮୪ ପ୍ରତିଶତ ସେୟାର ଏବଂ ଭିସ୍ତାରାରେ ୫୧ ପ୍ରତିଶତ ସେୟାର ରହିଛି।

ବର୍ତ୍ତମାନ ଏୟାର ଇଣ୍ଡିଆ ୪ ହଜାର ୪୦୦ ଡୋମେଷ୍ଟିକ୍ ଓ ୧ ହଜାର ୮୦୦ ଅନ୍ତର୍ଜାତୀୟ ଲ୍ୟାଣ୍ଡିଂ ଓ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି । ଏୟାର ଲାଇନ୍ସର ୧୪୧ଟି ଏୟାରକ୍ରାଫ୍ଟ ପାଇଥିଲା ଟାଟା । ଏଥିରୁ ୯୯ ଏୟାରକ୍ରାଫ୍ଟର ମାଲିକାନା ଓ ୪୨ଟି ଏୟାରକ୍ରାଫ୍ଟ ଲିଜରେ ପାଇଥିଲା। ୧୯୩୨ରେ ଟାଟା ଏୟାର ଲାଇନ୍ସ ପ୍ରତିଷ୍ଠା କରିଥିଲା ଟାଟା । ୧୯୪୬ରେ ଏୟାର ଇଣ୍ଡିଆ ନାଁରେ ଏହା ନାମିତ ହୋଇଥିଲା । ୧୯୫୩ରେ ସରକାର ଏହାକୁ ନିୟନ୍ତ୍ରଣକୁ ନେଇଥିଲେ ।

Also Read : ଏଣିକି ଆଉ ଫସିବେନି ଟ୍ରାଫିକ୍‌ରେ ! ୧୫ ମିନିଟରେ ବିମାନ ବନ୍ଦରରେ ପହଞ୍ଚାଇ ଦେବ ହେଲିକପ୍ଟର , ଅକ୍ଟୋବରରୁ ଆରମ୍ଭ ହେଉଛି ଏହି ସେବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.