ମୟୁରଙ୍କ ଘର ଗଞ୍ଜାମ ଜିଲ୍ଲାର ପାକିଡ଼ି ଜଙ୍ଗଲ, ଲୋକେ ଦେଉଛନ୍ତି ସୁରକ୍ଷା ହେଲେ ବିଭାଗର ଅଣଦେଖା

ହିଞ୍ଜିଳିକାଟୁ (କେନ୍ୟୁଜ୍‌) : ଜନସଂଖ୍ୟା ବୃଦ୍ଧି ଏବଂ ମଣିଷର ପ୍ରାଦୁର୍ଭାବରେ ପୃଥିବୀରେ ଥିବା ଅନ୍ୟ ପ୍ରାଣୀମାନଙ୍କ ସଂଖ୍ୟା କମିବାରେ ଲାଗିଛି । କେତେ ପ୍ରଜାତିର ପ୍ରାଣୀ ତ ଦୁନିଆରୁ ଲୋପ ପାଇଗଲେଣି । ସେହିଭଳି ସ୍ଥିତି ଆମ ଜାତୀୟ ପକ୍ଷୀ ମୟୂରର । ତେବେ ଗଞ୍ଜାମ ଶେରଗଡ଼ ଅଞ୍ଚଳର କିଛି ଲୋକଙ୍କ ଉଦ୍ୟମ ଯୋଗୁଁ ପାକିଡି ବନାଞ୍ଚଳରେ ଜାତୀୟ ପକ୍ଷୀଙ୍କ ବଂଶ ବୃଦ୍ଧି ପାଇଛି। ପାହାଡ ଉପରେ ପ୍ରାକୃତିକ ପରିବେଶ ସାଙ୍ଗକୁ ରହିଛି ମା’ କରଞ୍ଜେଇଙ୍କ ଶକ୍ତି ପୀଠ। ତାସହ ଏହି ମୟୂରଙ୍କୁ ଦେଖିବା ପାଇଁ ଛୁଟି ଆସିଥାନ୍ତି ପର୍ଯ୍ୟଟକ। ଏଠାରେ ମୟୂରଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଥିବାରୁ ଏମାନଙ୍କର ସଂଖ୍ୟା ବଢ଼ି ପାରିଛି ।
ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ ସୀମାନ୍ତରେ ରହିଛି ଏହି ପାକିଡି ବନାଞ୍ଚଳ। ଏହି ବନାଞ୍ଚଳ ଜାତୀୟ ପକ୍ଷୀ ମୟୂରଙ୍କ ଘର କହିଲେ ଭୁଲ ହେବ ନାହିଁ ।

ହିଞ୍ଜିଳିକାଟୁରୁ ମାତ୍ର ୧୨ କିଲୋମଟର ଓ ବ୍ରହ୍ମପୁରରୁ ୩୨ କିଲୋମିଟର ଗଲା ପରେ ପଡିଥାଏ ମା କରଞ୍ଜେଇଙ୍କ ଶକ୍ତି ପୀଠ। ରାଜ୍ୟର ଏକ ପରିଚିତ ତଥା ନିଆରା ପରିବେଶ ଭାବେ ଏହି ଅଂଚଳ ପ୍ରସିଦ୍ଧି ଲାଭ କରିଛି। ଘଞ୍ଚ ବୁଜ ଜଙ୍ଗଲ, ଝରଣାର କୁଳୁକୁଳୁ ଶବ୍ଦ ଓ ମୟୂରଙ୍କ କୋଳହାଳ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ନିରୀହ ସୁନ୍ଦର ପକ୍ଷୀକୁ ଯିଏ ଦେଖେ ଘଡ଼ିଏ ରହିଯାଏ ଏଠି ସମୟ ବିତାଇବା ପାଇଁ । ସେହିପରି ମା କରଞ୍ଜେଇଙ୍କ ପୀଠ ଜିଲ୍ଲା ତଥା ଜିଲ୍ଲା ବାହାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ତେବେ ବର୍ତ୍ତମାନ ସବୁଜିମାରେ ଭରା ଏହି ଜଙ୍ଗଲ, ପାହାଡ଼ ଅଞ୍ଚଳ ଅତୀତରେ ଥିଲା ଟାଙ୍ଗରା ଭୂଇଁ। ସ୍ଥାନୀୟ ଜନସାଧାରଣ ଓ ବନ ବିଭାଗର ମିଳିତ ଉଦ୍ୟମରେ ଗଛ ଲଗାଯାଇ ଏହାକୁ ସବୁଜିମାରେ ଭରି ଦିଆଯାଇଛି । ୧୦ବର୍ଷ ପୂର୍ବେ ବନାଞ୍ଚଳର ୧୯୭୦ ହେକ୍ଟର ଜଙ୍ଗଲ ଜମିରେ ପ୍ରଥମେ ୧୦ଟି ମୟୂର ଛଡ଼ା ଯାଇଥିଲା। କାଳକ୍ରମେ ବଂଶବୃଦ୍ଧି ଘଟି ଏବେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ମୟୂର ଡର ଭୟ ଛାଡ଼ି ଅବାଧରେ ବିଚରଣ କରୁଛନ୍ତି।
ହେଲେ ଦୁଃଖର ବିଷୟ ହେଉଛି, ଜିଲ୍ଲାର ଗର୍ବ ଓ ଗୌରବ ବୋଲାଉଥିବା ଏହି ମୟୂର ଉଦ୍ୟାନର ଭିତ୍ତିଭୂମି ପ୍ରତି ଆଖି ବୁଜି ଦେଇଛି ବନ ବିଭାଗ। ଏଭଳି ଅଭିଯୋଗ କରିଛତି ସ୍ଥାନୀୟ ଲୋକେ ।

ଶେରଗଡ଼ ଓ ଆସିକା ବ୍ଲକର ଆମ୍ବୁଆବାଡ଼ି, କେରିକେରିଝୋଳା, ଶୋଭାଚନ୍ଦ୍ରପୁର, ଚେରମାରିଆ, ଖଣ୍ଡଦେଉଳି, କେ ନୂଆଗାଁ ଆଦି ଗାଁ ମୟୂରଙ୍କ ବାସସ୍ଥଳୀ ପାଲଟିଛି। ଗାଁର ଅଧିକାଂଶ ପରିବାର ଚାଷ କାମ କରି ପରିବାର ପୋଷୁଛନ୍ତି। ବେଳେବେଳେ ମୟୂରଙ୍କ ଯୋଗୁଁ ଫସଲ ହାନୀ ହେଉଛି। ଫସଲ ନଷ୍ଟ ହେଲେ ବି ମୟୂରମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଧରି ନେଇଛନ୍ତି ଗ୍ରାମବାସୀ ଓ ପକ୍ଷୀପ୍ରେମୀ। ମୟୂରଙ୍କ ବଂଶବୃଦ୍ଧି ଲୋକଙ୍କ ମନରେ ଆଣି ଦେଇଛି ଖୁସି। ଜମିରେ ବିଭିନ୍ନ ପ୍ରକାରର ପନିପରିବା ଓ ଶସ୍ୟ ଖାଇ ଯାଇଥାନ୍ତି ମୟୂର। ତଥାପି ଗ୍ରାମବାସୀଙ୍କ ସମେତ ବନ ସୁରକ୍ଷା ସମିତିର ସଦସ୍ୟମାନେ ବର୍ଷର ୧୨ ମାସ ଶିକାରୀଙ୍କ ଦାଉରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରୟାସ ଜାରି ରଖିଥାନ୍ତି।

ତେବେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉନି। କେବଳ ଖରାଦିନ ଆସିଲେ ପାଣି ବ୍ୟବସ୍ଥା କରି ଦାୟିତ୍ୱ ସାରି ଦେଉଛି ବନ ବିଭାଗ। ଆଜି ପର୍ଯ୍ୟନ୍ତ କେତେ ମୟୂର ଅଛନ୍ତି ତାହା ବି ଗଣନା ହୋଇ ପାରିନି। ଫଳରେ ପ୍ରକୃତି ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି।

ଗୋପାଳପୁର-ରାୟପୁର ୫୯ ନମ୍ବର୍‌ ଜାତୀୟ ରାଜପଥ ଚେରମାରିଆ ଗାଁ ନିକଟରେ ଏକ ସୁନ୍ଦର ନେଚର୍‌ କ୍ୟାମ୍ପ କରିଛି ପର୍ଯ୍ୟଟନ ବିଭାଗ। ତେବେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ନଥିବାରୁ ଧୀରେ ଧୀରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଲାଣି। ତେଣୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପାକିଡି ବନାଞ୍ଚଳର ଉପଯୁକ୍ତ ବିକାଶ କରିବା ଦରକାର । ଏହାର ଅଧିକ ପ୍ରଚାର ପ୍ରସାର ହେଲେ ଏହି ସ୍ଥାନ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇ ପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.