ଶାରୀରିକ ଅକ୍ଷମ ହେଲେବି ପଟ୍ଟଚିତ୍ର ଆଙ୍କି ପରିବାର ଚଳାଇବାରେ ସକ୍ଷମ ସସ୍ମିତା

ବାଙ୍କୀ (କେନ୍ୟୁଜ) : ବର୍ତ୍ତମାନ ସମୟରେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ନିଜର ପରିଚୟ ତିଆରି କରିନଥିବେ। ସବୁ କାମରେ ପାରଙ୍ଗମ। ଯେମିତି ଏହି ଦିବ୍ଯାଙ୍ଗ ଯୁବତୀ ସସ୍ମିତା ମଲ୍ଲିକ । ଯିଏ ଜଣାଇ ଦେଇଛନ୍ତି କି ନାରୀ ଅବଳା କି ଦୁର୍ବଳା ନୁହଁ। ଆଉ ଗୋଟେ ନାରୀ ହିଁ ଚାହିଁଲେ କରିପାରେ ସବୁ ଅସମ୍ଭବକୁ ସମ୍ଭବ। ଏହି ଟ୍ରାଇ ସାଇକେଲ ଚଲାଉଥିବା ଯୁବତୀ ଜଣଙ୍କ ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ନିଜ ଉଦ୍ୟମ ଓ ଆତ୍ମବିଶ୍ୱାସ ବଳରେ ଏବେ ପେଟ ପୋଷିବା ପାଇଁ ହୋଇଛନ୍ତି ସକ୍ଷମ।

କଟକ ଜିଲ୍ଲାର ବାଙ୍କୀ ବ୍ଲକର କଳାପଥର ପଞ୍ଚାୟତର କୃଷ୍ଣପଲୀ ଗ୍ରାମର ଦିବ୍ଯାଙ୍ଗ ଯୁବତୀ ସସ୍ମିତା ମଲ୍ଲିକ। ବୟସ ୩୩ ବର୍ଷ ହେବ । ପିଲାଟି ଦିନରୁ ଦୁଇ ଗୋଡ଼ ଅକ୍ଷମ ଥିବା ସସ୍ମିତା ବାପାଙ୍କର ବଡ଼ଝିଅ। ବାପା ମୂଲ ଲାଗି ଦିପଇସା ରୋଜଗାର କରି ପରିବାର ଭରଣପୋଷଣ କରୁଥିଲେ। ମାତ୍ର ଶରୀର ଅସୁସ୍ଥ ହୋଇ ପଡିବାରୁ ଏବେ କିଛି କାର୍ଯ୍ଯ କରି ପାରୁନାହାଁନ୍ତି। ଏତିକି ବେଳେ ପରିବାରର ବୋଝ ମୁଣ୍ଡାଇ ସସ୍ମିତା ନିଜେ ତୁଳି ଓ ରଙ୍ଗରେ ପଟଚିତ୍ର ଆଙ୍କି ମାସିକ ଦୁଇ ରୁ ତିନି ହଜାର ଟଙ୍କା ରୋଜଗାର କରି ଚଳୁଛନ୍ତି।

ସସ୍ମିତା ବାପା ମାଙ୍କ ପେଟକୁ ଦିଓଳି ପେଟପୁରା ଖାଇବାକୁ ଯୋଗାଇ ପାରୁଛନ୍ତି। ସସ୍ମିତା ଯିବାଆସିବା ପାଇଁ ଦୀର୍ଘ ସାତବର୍ଷ ପୂର୍ବେ ମିଳିଥିବା ଟ୍ରାଇସାଇକେଲରେ ପଟଚିତ୍ର ଶିଖିବା ପାଇଁ ଯାଉଥିବା ବେଳେ ଏବେ ଟ୍ରାଇ ସାଇକେଲଟି ପୁରୁଣା ହୋଇଥିବାରୁ ଭାଙ୍ଗି ଗଲାଣି। ଏପଟେ ରହିବାକୁ ନାହିଁ ପକାଘର ଖଣ୍ଡିଏ। ପାଲ ତଳେ ଜୀବନ ବିତୁଛି । ତା ସାଙ୍ଗକୁ ଘରେ ନାହିଁ ବିଜୁଳି ଆଲୁଅ। ସରକାରୀ ସାହାଯ୍ଯ କହିଲେ ମାସିକଭିନ୍ନକ୍ଷମ ଭତ୍ତା ଓ ତିନି ଜଣଙ୍କୁ ମିଳୁଥିବା ୧୫କେଜି ଚାଉଳ। ଏତିକିରେ ଚାଲିଛି ତେଲ ଲୁଣର ସଂସାର।

ନିଜେ ଚାଲିପାରୁ ନ ଥିବାବେଳେ ପରିବାର କିପରି ଚଳାଇବା ସେ ଚିନ୍ତାରେ ସସ୍ମିତା । ବାପା ମାଆ ଙ୍କର ବଡ଼ଝିଅ ହୋଇଥିବା ବେଳେ ସାନଭାଇ ବାହାର ରାଜ୍ଯକୁ କାମ କରିବାକୁ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଯାଇ ଆଉ ଗାଁ କୁ ଫେରି ନ ଥିବାର ଚିନ୍ତା ମଧ୍ୟ ପରିବାରକୁ ଦୁଃଖ ଆଣିଦେଇଛି। ବାପା ଙ୍କର ଅସୁସ୍ଥତା ର ଚିକିତ୍ସା ପାଇଁ ଅର୍ଥର ରହୁଛି ଅଭାବ। ତଥାପି ମନବଳକୁ ଦୃଢ଼ କରି ଜଣେ ଭଲ ପଟଚିତ୍ର ଶିଳ୍ପୀଟିଏ ହୋଇ ପାରିଛନ୍ତି। ତେବେ ପଟଚିତ୍ରର ସାମଗ୍ରୀ ରଙ୍ଗ, କପଡା ନିଜେ କିଣି ଆଣି ପ୍ରସ୍ତୁତ କରି ବିକ୍ରି କରି ପାରିଲେ ଆଉ ଅଧିକ ଦି ପଇସା ରୋଜଗାର କରି ପାରନ୍ତା।

ଏପଟେ ବାପା ୧୯୯୭ ମସିହାରେ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଘରର ଛାତ ରୁ ଫାଟି ପାଣି ଗଳୁଛି । ବର୍ଷା ଦିନେ ଘର ଭିତରେ ପଟଚିତ୍ର ଆଙ୍କିବା ମୁସ୍କିଲ ହୋଇପଡିଥାଏ। ବାଧ୍ୟହୋଇ ପାଲ ତଳେ ଆଙ୍କଥାନ୍ତି ଚିତ୍ର। ତେଣୁ ଆବାସଯୋଜନାରେ ଘର ଓ ଯିବାଆସିବା କରିବାପାଇଁ ଆଉ ଗୋଟିଏ ନୂଆ ଟ୍ରାଇ ସାଇକେଲ ଯୋଗାଇବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଲେ ଭିନ୍ନକ୍ଷମ ଯୁବତୀ ସସ୍ମିତାଙ୍କ କଷ୍ଟ ଟିକେ ଲାଘବ ହେବା ସହ ତାଙ୍କ ମନବଳ ଆହୁରି ଦ୍ରୁଢୀଭୂତ ହୋଇପାରନ୍ତା। ଏପଟେ ସସ୍ମିତାଙ୍କ ଖବର ଶୁଣି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା କହିଛନ୍ତି ନୂଆ ଟ୍ରାଇ ସାଇକେଲ ସହ ମୁଖ୍ଯମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ନିଶ୍ଚିତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଆଜିର ଦୁନିଆରେ ମହିଳାମାନେ ନିଜକୁ ଅସହାୟ ମନେ କରୁଥିବା ବେଳେ ସସ୍ମିତା କେବେ ହେଲେ ନିଜକୁ ଅସହାୟ ମନେ କରିଥାନ୍ତି । ତେବେ ସରକାର ଭିନ୍ନକ୍ଷମ ପାଇଁ ବିଭନ୍ନ ଯୋଜନା କରୁଥିଲା ବେଳେ ସସ୍ମିତାଙ୍କ ଭଳି ଜଣେ ସ୍ୱାବଲମ୍ବୀ ଯୁବତୀଙ୍କ ପାଇଁ ଆଗକୁ କଣ ବ୍ୟବସ୍ଥା କରାଯାଉଛି ତାହା ଉପରେ ରହିଲା ନଜର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.