Wipro ୪୫୨ ଫ୍ରେଶରଙ୍କୁ ଚାକିରିରୁ ବିଦା କଲା; ଟ୍ରେନିଂ ବାବଦକୁ ପ୍ରତି କର୍ମଚାରୀ ଭରଣା କରିବେ ୭୫,୦୦୦ ଟଙ୍କା!

ଗତ ସପ୍ତାହରେ ବିଶ୍ୱର ଦୁଇ ଟପ୍‌ ଟେକ୍‌ କମ୍ପାନୀ ‘ଗୁଗଲ’ ଓ ‘ମାଇକ୍ରୋସଫ୍ଟ’ ବଡ଼ ସ୍ତରରେ ଛଟେଇ ଘୋଷଣା କରିଥିଲେ। ଗୁଗଲର ସିଇଓ ସୁନ୍ଦର ପିଚାଇ ୧୨ ହଜାର ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା ବିଶ୍ୱ ସ୍ତରରେ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛନ୍ତି। ଆଉ ଏବେ ଭାରତର ଅନ୍ୟ ଏକ ଶୀର୍ଷ ଆଇଟି କମ୍ପାନୀ ‘ଓ୍ଵିପ୍ରୋ’ ଛଟେଇ ଘୋଷଣା କରିଛି।

ରିପୋର୍ଟ ମୁତାବକ, ଓ୍ଵିପ୍ରୋ ଖରାପ ପ୍ରଦର୍ଶନ କାରଣରୁ ଶହ ଶହ ନବାଗତ ବା ଫ୍ରେଶରଙ୍କୁ ଚାକିରିରୁ ବାହାର କରି ଦେଇଛି। କମ୍ପାନୀ ଇଣ୍ଟରନାଲ ପରଫର୍ମାନ୍ସ ଇଭାଲ୍ୟୁସନ ଆଧାରରେ କମ୍‌ ସ୍କୋର କରିଥିବା କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପାଇଁ କହିଛି।

କମ୍ପାନୀରୁ ୮୦୦ କର୍ମଚାରୀ ବାହାରି ଯିବାର ଆଶଙ୍କା ରହିଥିଲା। କିନ୍ତୁ ଓ୍ଵିପ୍ରୋ ମୁତାବକ, ଏହି ସଂଖ୍ୟା କମ୍‌ ରହିଛି। ଓ୍ଵିପ୍ରୋ ଏକ ଗଣମାଧ୍ୟମକୁ କହିଛି ଯେ ‘ଆମକୁ ୪୫୨ ନବାଗତଙ୍କୁ ବାହାର କରିବାକୁ ପଡ଼ିଛି। କାରଣ, ସେମାନେ ଟ୍ରେନିଂ ପରେ ବି ବାରମ୍ବାର ଆସେସ୍‌ମେଣ୍ଟରେ ଖରାପ ପରଫର୍ମାନ୍ସ କରିଥିଲେ’।

ଓ୍ଵିପ୍ରୋ କର୍ମଚାରୀମାନଙ୍କୁ ପଠାଇଥିବା ଟର୍ମିନେସନ ଲେଟରରେ ଉଲ୍ଲେଖ କରିଛି ଯେ କର୍ମଚାରୀମାନଙ୍କୁ ୭୫,୦୦୦ ଟଙ୍କା ଭରଣା କରିବାକୁ ପଡ଼ିବ, ଯାହାକି ସେମାନଙ୍କ ଟ୍ରେନିଂ ସମୟରେ କମ୍ପାନୀ ଖର୍ଚ୍ଚ କରିଥିଲା। ଅବଶ୍ୟ, ମେଲ୍‌ରେ କମ୍ପାନୀ ଏହି ରାଶି କୋହଳ କରିଥିବା ଲେଖାଯାଇଛି।

ସେପଟେ ଖରାପ ପ୍ରଦର୍ଶନ କରିଥିବା ଯୋଗୁ ଚାକିରିରୁ ବହିଷ୍କୃତ ହୋଇଥିବା ଜଣେ ଫ୍ରେଶର କହିଛନ୍ତି କି, ତାଙ୍କୁ ୨୦୨୨ ଜାନୁୟାରୀରେ ଅଫର୍‌ ଲେଟର ମିଳିଥିଲା। କିନ୍ତୁ ମାସ ମାସର ବିଳମ୍ବ ପରେ ସେମାନେ ତାଙ୍କୁ ଅନ୍‌ବୋର୍ଡ କରିଥିଲେ ଏବଂ ଏବେ ସେମାନେ ତାଙ୍କୁ ଟେଷ୍ଟର ବାହାନା ଦେଖାଇ ଚାକିରିରୁ ବାହାର କରୁଛନ୍ତି।

କହି ରଖୁଛୁ, ସାରା ବିଶ୍ୱରେ ଟେକ୍‌ ଇଣ୍ଡଷ୍ଟ୍ରୀ ଖରାପ ସମୟ ଦେଇ ଗତି କରୁଛି। ଗତ ସପ୍ତାହରେ ଦୁଇ ବଡ଼ ଟେକ୍‌ କମ୍ପାନୀ ଗୁଗଲ ଓ ମାଇକ୍ରୋସଫ୍ଟ ବିଶ୍ୱ ସ୍ତରରେ ୨୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.