ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍‌; ଘଟଣାସ୍ଥଳରେ ୮ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଛତିଶଗଡ଼ର କୋଙ୍କେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ ଏକ ଟ୍ରକ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଜୋର୍‌ ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଛତିଶଗଡ଼ର କୋଙ୍କେର ଜିଲ୍ଲାରେ ଗୁରୁବାର ଦ୍ୱିପ୍ରହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଏକ ଟ୍ରକ୍‌ ଜୋର୍‌ରେ ଧକ୍କା ଦେଇଛି। ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋର ଛାତ ଉଡ଼ିଯାଇଛି। ଦୁର୍ଘଟଣାର ଖବର ମିଳିବା କ୍ଷଣି ଲୋକେ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସ ମୁତାବକ, ସ୍କୁଲ ଛୁଟି ପରେ ଅଟୋଟି ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିଲା। ଏହି ସମୟରେ ରାସ୍ତାରେ ଏକ ଟ୍ରକ୍‌ ସହ ଅଟୋର ଧକ୍କା ହୋଇଥିଲା। ସମସ୍ତେ ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ସମସ୍ତଙ୍କ ବୟସ ୪ରୁ ୭ ବର୍ଷ ଭିତରେ ହେବ। ଆହତଙ୍କ ମଧ୍ୟରେ ଅଟୋ ଚାଳକ ମଧ୍ୟ ଅଛନ୍ତି। ଆହତମାନଙ୍କ ଅବସ୍ଥା ଏବେ ଗୁରୁତର ରହିଛି।

Leave A Reply

Your email address will not be published.